କନକ ବ୍ୟୁରୋ: ଗାରୁ ହାଟରୁ ଫିଲ୍ମ ଷ୍ଟାଇଲରେ ଲୁଟ୍ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସାପ୍ତାହିକ ହାଟରୁ ହୋଇଛି ଏପରି ଲୁଟ୍ । ମୁହଁରେ କପଡା ବାନ୍ଧିବା ସହ ମାରଣାସ୍ତ୍ର ଦେଖାଇ ଗୋରୁ ବେପାରୀଙ୍କ ଠାରୁ ୨୮ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ଦ୍ୱିପ୍ରହର ସମୟରେ ୧୦ରୁ ଉଦ୍ଧ୍ୱର୍ ଲୁଟେରା ହାତରେ ଖଣ୍ଡା, ଭୁଜାଲି, ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଏହି ଲୁଟ୍ କରିଛନ୍ତି । ଲୁଟର ଶିକାର ବ୍ୟକ୍ତି ଆନ୍ଧ୍ରର ଗୋରୁ ବେପାରୀ । ବେପାରୀ ମାନେ ଏକ ପିକ ଅପରେ ଆସିଥିଲେ । ଦୁର୍ବୃତମାନେ ପିକଅପଟିର କାଚ ଭାଙ୍ଗି ଭିତରେ ଥିବା ତିନୋଟି ବ୍ୟାଗକୁ ଲୁଟ୍ କରିଛନ୍ତି । ଯେଉଁଥିରେ ୨୮ ଲକ୍ଷ ୬୦ ହଜାର ଟଙ୍କା ଥିଲା । ଏହି ସମୟରେ ଗାଡି ନିକଟରେ ଥିବା ନବରଙ୍ଗପୁରର ଜଣେ ବ୍ୟକ୍ତି ପ୍ରତିବାଦ କରିବାରୁ ତାଙ୍କୁ ବି ଲୁଟେରାମାନେ ଆକ୍ରମଣ କରିଛନ୍ତି । ଅଧିକାଂଶ ଲୁଟେରାଙ୍କ ବୟସ ୨୦ ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି । ଅଭିଯୋଗ ପରେ ଡାବୁଗାଁ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି । ବ୍ୟବସାୟୀ ମାନେ ଆନ୍ଧ୍ର ପ୍ରଦେଶ ବିଜୟନଗରମ କତୁ ବାଲସା ଗ୍ରାମର । ବ୍ୟବସାୟୀ ନାଇଡ଼ୁ ରଙ୍ଗାଲି ଲକ୍ଷାଧିକ ଟଙ୍କା ଧରି ଡାବୁଗାଁ ଆସିଥିଲେ । ଡ୍ରାଇଭର ସହ ଅନ୍ୟ ତିନି ଜଣ ମଧ୍ୟ ଆସିଥିଲେ ।