ଜନତା କର୍ଫ୍ୟୁରେ ଭାଗନେବେ ବ୍ୟବସାୟୀ । କାଲି ଓଡ଼ିଶାରେ ବନ୍ଦ ରହିବ ୨୦ ଲକ୍ଷ ଦୋକାନ, ଖୋଲା ରହିବ ମେଡିସିନ୍ ଷ୍ଟୋର, ପେଟ୍ରୋଲ୍ ପମ୍ପ୍ ।

2,298

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖ, ରବିବାର ‘ଜନତା କର୍ଫ୍ୟୁ’ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ କରିଛନ୍ତି । କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ରବିବାର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନବାହାରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ବାନକୁ କାର୍ଯ୍ୟକାରୀ କରିବା ପାଇଁ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏଆଇଟି) ଆଗେଇ ଆସିଛି । ୨୨ ତାରିଖରେ ଦେଶର ୭ କୋଟି ବ୍ୟବସାୟୀ ସେମାନଙ୍କ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରଖିବେ ବୋଲି ସିଏଆଇଟି ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି । ସବୁ ରାଜ୍ୟର ବ୍ୟବସାୟୀ ସଂଘ ସହ ପରାମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଫଳରେ ଦେଶବ୍ୟାପୀ ବ୍ୟାବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ୪୦ କୋଟି କର୍ମଚାରୀ ଘରେ ରହିବେ ।

ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଜନତା କର୍ଫ୍ୟୁକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ସମର୍ଥନ କରିଛି । ରବିବାର ଓଡ଼ିଶାରେ ଜନତା କର୍ଫ୍ୟୁ ପାଇଁ ୨୦ ଲକ୍ଷ ଦୋକାନ ବନ୍ଦ ରହିବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି । ରାଜ୍ୟରେ ଓଡ଼ିଶା ବ୍ୟବସାୟୀ ମହାସଂଘ ସହ ଅଧୀନରେ ୧୯୪ଟି ସଂଘ ରହିଛି । ସେସବୁ ସଂଘଙ୍କୁ ଦୋକାନ ବନ୍ଦ ପାଇଁ କୁହାଯାଇଛି । ତେବେ ଡାଲି, ଚାଉଳ, ପନି ପରିବା ଓ ଆମିଷ ଆଦି ଦୋକାନ ବନ୍ଦ ରହିଲେ ମଧ୍ୟ ପେଟ୍ରୋଲ ପମ୍ପ ଏବଂ ଔଷଧ ଦୋକାନ ଖୋ‌ଲା ରହିବ । ପେଟ୍ରୋଲ ପମ୍ପ ଖୋଲା ରହିବ ଏବଂ ସର୍ବନିମ୍ନ କର୍ମଚାରୀ ଗ୍ରାହକଙ୍କୁ ପେଟ୍ରୋଲ ଓ ଡିଜେଲ ବିକ୍ରି କରିବେ ବୋଲି ଓଡ଼ିଶା ପେଟ୍ରୋଲିୟମ ଡିଲର ସଂଘର ସମ୍ପାଦକ ସଂଜୟ ଲାଠ୍‌ କହିଛନ୍ତି । ସେହିଭଳି ରାଜ୍ୟରେ ଔଷଧ ଦୋକାନଗୁଡ଼ିକ ମଧ୍ୟ ଖୋଲା ରହିବ ବୋଲି ଉତ୍କଳ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ ଆସୋସିଏସନର ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି ।