କନକ ବ୍ୟୁରୋ : ରାକେଶ ଝୁନଝୁନୱାଲାଙ୍କ କମ୍ପାନୀ ଅକାଶା ଏୟାରର ପ୍ରଥମ ବିମାନ ଆସି ପହଞ୍ଚିସାରିଛି । ଆସନ୍ତାମାସରୁ ଏହାର ଉଡାଣ ନେଇ ସୂଚନା ମିଳିଛି । ଅକାଶା ଏୟାର ବୋଇଂ କେ-୭୩୭ ଏୟାରକ୍ରାଫ୍ଟର ୭୨ ୟୁନିଟ ପାଇଁ ଅର୍ଡର ଦେଇଛି । ଏହା ମଧ୍ୟରୁ ପ୍ରଥମ ବିମାନ ଆସି ପହଞ୍ଚିସାରିଛି । କମ୍ପାନୀକୁ ସେରିମୋନିଆଲ କି ଜୁନ ୧୫ରେ ଆମେରିକାର ସିଟିଏଲରେ ହସ୍ତାନ୍ତର କରାଯାଇଛି ।

Advertisment

ଏହା ହେବା ଦ୍ୱାରା ଭାରତୀୟ ବିମାନ କ୍ଷେତ୍ରରେ ଆଉ ଏକ କମ୍ପାନୀ ଯୋଡି ହେବାକୁ ଯାଉଛି । ଶିଲ୍ପପତି ରାକେଶ ଝୁନଝୁନୱାଲାଙ୍କ କମ୍ପାନୀର ନିବେଶ ଥିବା ଅକାଶା ଏୟାର ଶୀଘ୍ର ତାର ଉଡାଣ ଆରମ୍ଭ କରିବ । ମଙ୍ଗଳବାର ପ୍ରଥମ ବିମାନକୁ କମ୍ପାନୀକୁ ହସ୍ତାନ୍ତର ହୋଇସାରିଛି । ଏହା ସହ କମ୍ପାନୀ ବିମାନ ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ଏୟାର ଅପରେଟ ପରିମଟ ପାଇଁ ଆଉ ଗୋଟିଏ ପାଦ ଆଗକୁ ଯାଇଛି ।

ବୋଇଂ ପାଖରୁ ୭୨ଟି ବିମାନ କ୍ରୟ ହେବ
ଅକାଶା ଏୟାର ବୋଇଂ କେ-୭୩୭ର ୭୨ ୟୁନିଟ ପାଇଁ ଅର୍ଡର କରିଛି । ଏହାର ପ୍ରଥମ ୟୁନିଟ ହସ୍ତାନ୍ତର ହୋଇସାରିଛି । କମ୍ପାନୀର ବିମାନର ସେରିମୋନିଆଲ କି ଜୁନ ୧୫ରେ ହସ୍ତାନ୍ତର ହୋଇସାରିଥିବା ବେଳେ ମଙ୍ଗଳବାର ପ୍ରଥମ ବିମାନକୁ ସ୍ୱାଗତ କରାଯାଇଛି । ଇନ୍ଦିରା ଗାନ୍ଧୀ ଅର୍ନ୍ତଜାତୀୟ ବିମାନ ବନ୍ଦରରେ କମ୍ପାନୀର ଲିଡରସିପ ଟିମ୍ ଏହି ବିମାନକୁ ସ୍ୱାଗତ ପାଇଁ ଉପସ୍ଥିତ ରହିଥିଲେ । କମ୍ପାନୀ ପ୍ରଥମ ବିମାନର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଅପଲୋଡ କରିଛି ।

ହସ୍ତାନ୍ତର ନେଇ ପ୍ରତିକ୍ରିୟା ରଖିଲେ ସିଇଓ
କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିନୟ ଦୁବେ ସମୟ ପୂର୍ବରୁ ପ୍ରଥମ ହସ୍ତାନ୍ତରକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ପ୍ରଥମ ବିମାନ ଆସିବା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ । ଏହି ବିମାନ ଆମକୁ ଦେଶର ସବୁଠାରୁ ସବୁଜ, ଭରସାଯୋଗ୍ୟ, ଶସ୍ତା ଏୟାରଲାଇନ ଭାବେ ଆଗକୁ ନେବ । ଅକାଶା ଏୟାର ଦେଶର ବିମାନ ଚଳାଚଳ କ୍ଷେତ୍ରରେ ପ୍ରଗତି ଏବଂ ଷ୍ଟାଟଅପ୍ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିବ । ତା ସହିତ ନୂଆ ଭାରତରେ ଆଉ ଏକ ନୂଆ କାହାଣୀ ହେବ ।

ବୋଇଂ ଇଣ୍ଡିଆର ସଭାପତି ସଲିଲ ଗୁପ୍ତେ ପ୍ରତିକ୍ରିୟା ରଖି କହିଛନ୍ତି, ଅକାଶା ଏୟାର ପ୍ରତ୍ୟେକଙ୍କ ପାଇଁ ବିମାନ ଯାତ୍ରାରେ ନୂଆ ଅନୁଭୂତି ଆଣିବ । ଶୀଘ୍ର ଏହା ଲୋକଙ୍କ ପାଇଁ ଉପଲବ୍ଧ ହେବ । ଆମେ ଅକାଶା ଏୟାର ସହଯୋଗୀ ହୋଇଥିବାରୁ ଗୌରବାନ୍ୱିତ ମନେ କରୁଛୁ । ଭାରତ ବିଶ୍ୱର ସବୁଠାରୁ ଦ୍ରୁତବିକାଶଶୀଳ ଅର୍ଥ ବ୍ୟବସ୍ଥା । ଏଥିରେ ଆଉ ଗୋଟିଏ ବିମାନ କମ୍ପାନୀ ଯୋଡି ହେବା ଦେଶର ଅଭିବୃଦ୍ଧିକୁ ଶକ୍ତି ପ୍ରଦାନ କରିବ । ଆମେ ଏଥିପାଇଁ ଉତ୍ସାହିତ ଯେ, ଉନ୍ନତ ଜ୍ଞାନକୌଶଳରେ ତିଆରି ୭୩୭ ମାକ୍ସ ଅକାଶା ଏୟାର ଗ୍ରାହକଙ୍କ ପାଇଁ ବିମାନ ଯାତ୍ରାର ଖୁସିକୁ ଦ୍ୱିଗୁଣିତ କରିବ ।

ଆସନ୍ତା ମାସରୁ ଆରମ୍ଭ ହେବ ପରିଚାଳନା
ଅକାଶା ଏୟାର ଚଳିତ ବର୍ଷ ଜୁଲାଇରୁ ବ୍ୟବସାୟିକ ପରିଚାଳନା ଆରମ୍ଭ କରିବା ପାଇଁ ଯୋଜନା ରଖିଛି । କମ୍ପାନୀର କ୍ୟୁପି କୋର୍ଡ ପ୍ରଦାନ ହୋଇସାରିଛି । ସେତେବେଳେ କମ୍ପାନୀ ଏନେଇ ସୂଚନା ଦେଇ ଲେଖିଥିଲେ, କ୍ୟୁପି ଅଭି ତୋ ପାର୍ଟି ସୁରୁ ହୁଇ ହେ । ଏଥିରେ କ୍ୟାପସନ ଲେଖାଯାଇଥିଲା ଆପଣଙ୍କ ଏୟାରଲାଇନ କୋର୍ଡ କ୍ୟୁପିର ଘୋଷଣା କରି ଆମେ ଗୌରବାନ୍ୱିତ । ଗତ ବର୍ଷ ଅଗଷ୍ଟ ମାସରୁ କମ୍ପାନୀକୁ ବିମାନ ଉଡାଣ ନେଇ ଏନଓସି ମିଳିସାରିଛି ।