ଯାଜପୁର ରସୁଲପୁର ଅଞ୍ଚଳରେ ରେଶମ ବୁଣାକାରଙ୍କ ପାଇଁ କାଳ ସାଜିଲା କରୋନା । କଟକଣା ଭିତରେ ପ୍ରଭାବିତ ହୋଇଛି ବ୍ୟବସାୟ

71

କନକ ବ୍ୟୁରୋ : କରୋନା ମହାମାରି ବୁଣାକାରଙ୍କ ବ୍ୟବସାୟରେ ସାଜିଛି ପ୍ରତିବନ୍ଧକ । ଆମେ କହୁଛୁ ଯାଜପୁର ଜିଲ୍ଳା ରସୁଲପୁର ବ୍ଲକ ଗୋପାଳପୁର ଗାଁର ରେଶମୀ ମଣିଷଙ୍କ କଥା । ପାଖାପାଖି ତିନି ହଜାର ବୁଣାକାର ପରିବାର ଏହି କୌଳିକ ବୃତିକୁ ଆଦରି ଥିବା ବେଳେ ଏବେ ପରିବାର ଚଳାଇବା କଷ୍ଟ ।

ଏ ହେଉଛି ରସୁଲପୁର ବ୍ଲକ ଗୋପାଳପୁର ଗାଁ । ସାଧାରଣଭାବେ ଗୋପାଳପୁର କହିଲେ ଲୋକେ ବୁଣାକାରଙ୍କ ଗାଁ ବୋଲି ବୁଝନ୍ତି । ପାଖାପାଖି ତିନି ହଜାର ବୁଣାକାର ପରିବାର ତନ୍ତକାମ କରି ପରିବାର ପ୍ରତିପୋଷଣ କରିଥାନ୍ତି । ସରକାରଙ୍କ ସେରିଫେଡରୁ ଟସର କୋଷା ଆଣି ତାକୁ ସିଝାଇ ଏଥିରୁ ସୂତା ପ୍ରସ୍ତୁତ କରିବା ପରେ ତାକୁ ଡ୍ରମ କରି କାଣ୍ଡିରେ ଗୁଡାଇ ରଙ୍ଗ କରି ପ୍ରସ୍ତୁତ କରିଥାନ୍ତି । ଏହି ଟସର ସୂତାରୁ ବିଭିନ୍ନ ରକମର ଶାଢୀ, ଓଢଣୀ, ଶାଲ, ଲୁଙ୍ଗି, ରୁମାଲ, ସାର୍ଟ କପଡା , ଆଦି ପ୍ରସ୍ତୁତ କରି ବିକ୍ରି କରିଥାନ୍ତି ।ଆନ୍ତର୍ଜାତୀୟ ଓ ଜାତୀୟ ବଜାରରେ ଏହି ଗାଁ କାରିଗରଙ୍କ ପ୍ରସ୍ତୁତି ତନ୍ତ ସାମଗ୍ରୀର ବେଶ୍ ଚାହିଦା ରହିଥିବା ବେଳେ କରୋନା ମହାମାରି ଯୋଗୁଁ ଏବେ ବ୍ୟବସାୟରେ ମାନ୍ଦା ଅବସ୍ଥା ଦେଖାଦେଇଛି । ଫଳରେ କାରିଗର ପରିବାରମାନେ ବହୁ ସମସ୍ୟାରେ ରହୁଥିବା କହିଛନ୍ତି ।

ଏହି ଗୋପାଳପୁର ଗାଁ ବୁଣାକାର ମାନଙ୍କ ହାତ ତିଆରି ସାମଗ୍ରୀ ରାଜ୍ୟ ଓ ଦେଶ ବାହାରେ ମଧ୍ୟ ବେଶ୍ ଚାହିଦା ରହିଛି । ଭାରତ ବାହାରେ ଆମୋରିକା,ଜର୍ମାନୀ ଭଳି ବିକଶିତ ଦେଶରେ ମଧ୍ୟ ଏହି ଗାଁର ବୁଣାକାରମାନଙ୍କ ପ୍ରସ୍ତୁତ ସାମଗ୍ରୀର ବେଶ୍ ଆଦର ରହିଛି । ଗାଁର ମହିଳା ଓ ପୁରୁଷ ସମସ୍ତେ ଏହି ବୃତିରେ ନିୟୋଜିତ ହୋଇ ଆତ୍ମନିର୍ଭରଶୀଳ ହୋଇପାରିଥିବା ବେଳେ ବିଭିନ୍ନ ସମୟରେ ରାଜ୍ୟ ଓ ଜାତୀୟ ସ୍ତରରେ ତନ୍ତବୁଣା ପାଇଁ ପୁରସ୍କୃତ ହୋଇ ସୁନାମ ଅର୍ଜନ କରିପାରିଛନ୍ତି । ଏହି ଗୋପାଳପୁର ଅଂଚଳରେ ପାଖାପାଖ ୧୪ଟି ତନ୍ତ ସମବାୟ ସମତି କାର୍ଯ୍ୟ କରୁଛନ୍ତି । କାରିଗରମାନେ ସମବାୟ ସମିତି ଗୁଡିକ ଜିରିଆରେ ସରକାରୀ ସୁବିଧା ସୁଯୋଗ ସଠିକଭାବେ ପାଇପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ।ଫଳରେ ରାଜ୍ୟ ସରକାର ବୁଣାକାର ପରିବାର ପାଇଁ ଦେଉଥିବା ସହାୟତା ର ସଠିକ ବିନିଯୋଗ ହୋଇପାରୁ ନାହିଁ ବୋଲି କାରିଗର କହନ୍ତି ।