କନକ ବ୍ୟୁରୋ : ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାର ଗୋଟିଏ ଦିନ ପୂର୍ବରୁ, ଘରୋଇ ଷ୍ଟକ୍ ମାର୍କେଟ୍ ତୀବ୍ର ହ୍ରାସ ଦେଖିବାକୁ ମିଳିଛି । ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଆଲୋଚନା ବିଫଳ ହେବା ପରେ, ୨୭ ଏପ୍ରିଲରୁ ନୂତନ ଶୁଳ୍କ ହାର କାର୍ଯ୍ୟକାରୀ ହେବ । ଆଉ ଏହାର ପ୍ରଭାବ ଆଜି ଭାରତୀୟ ଷ୍ଟକ୍ ମାର୍କେଟ୍‌ରେ ଦେଖିବାକୁ ମିଳିଛି । ସପ୍ତାହର ଦ୍ୱିତୀୟ ବ୍ୟବସାୟ ଦିନ ଅର୍ଥାତ୍ ଆଜି ଆରମ୍ଭରୁ ନିବେଶକଙ୍କ ପାଦ ତଳୁ ମାଟି ଖସିଯାଇଛି । ପ୍ରାରମ୍ଭିକ ବ୍ୟବସାୟରେ ବିଏସଇର ୩୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ୍‌ ସେନସେକ୍ସ ୬୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ସେହିପରି ନିଫ୍ଟି-୫୦ ମଧ୍ୟ ୨୪,୮୦୦ ସ୍ତର ତଳେ କାରବାର ହେଉଥିବା ଦେଖାଯାଇଥିଲା ।

Advertisment

ମିଡକ୍ୟାପ୍ ଏବଂ ସ୍ମଲକ୍ୟାପ୍ ଷ୍ଟକରେ ସବୁଠାରୁ ବଡ଼ ହ୍ରାସ ଦେଖାଯାଉଛି । ଏହା ସହିତ ବ୍ୟାଙ୍କିଙ୍ଗ୍ ଷ୍ଟକରେ ମଧ୍ୟ ବଡ଼ ବିକ୍ରୟ ହୋଇଛି । ଭୋଡାଫୋନ୍ ଆଇଡିଆ ଶେୟାର ମଧ୍ୟ ପ୍ରାୟ ୯ ପ୍ରତିଶତ ହ୍ରାସ ପାଇଛି। 

ସୂଚନା ଅନୁସାରେ, ଆମେରିକାର ଶୁଳ୍କର ସବୁଠାରୁ ବଡ଼ ପ୍ରଭାବ କପଡ଼ା, ଇଞ୍ଜିନିୟରିଂ ସାମଗ୍ରୀ, ଚମଡା ଏବଂ ରାସାୟନିକ ପଦାର୍ଥ ଭଳି କମ୍ପାନୀଗୁଡ଼ିକ ଉପରେ ପଡ଼ିପାରେ ।  ଯାହାର ଆମେରିକା ବଜାରରେ ଏକ ବଡ଼ ଅଂଶ ରହିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବିକଳ୍ପ ବଜାର ଖୋଜିବା ଏବଂ ଘରୋଇ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଶୀଘ୍ର ଦୃଢ଼ ପଦକ୍ଷେପ ନିଆ ନ ଯାଏ, ତେବେ ଏହାର ଗଭୀର ପ୍ରଭାବ ଆଗାମୀ ତ୍ରୈମାସିକରେ କର୍ପୋରେଟ୍ ଆୟ ଏବଂ ବଜାର ଗତିବିଧି ଉପରେ ଅଧିକ ହୋଇପାରେ । 

ଆମେରିକା ସହିତ ବାଣିଜ୍ୟ ହେବ କଷ୍ଟକର 
ଟ୍ରମ୍ପଙ୍କ ନିଷ୍ପତ୍ତି ଏବଂ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ହେବା ଦ୍ୱାରା ନୂଆଦିଲ୍ଲୀର ଆମେରିକାକୁ ପ୍ରାୟ ୮୬.୫ ବିଲିୟନ ଡଲାରର ବାଣିଜ୍ୟିକ ରପ୍ତାନି ଉପରେ ସିଧାସଳଖ ପ୍ରଭାବ ପଡ଼ିବ । ବିଶେଷଜ୍ଞମାନେ କହିଛନ୍ତି ଯେ ଏତେ ଉଚ୍ଚ ଶୁଳ୍କ ହାର ଯୋଗୁଁ ଭାରତୀୟ ସାମଗ୍ରୀଗୁଡ଼ିକ ଆମେରିକା ବଜାରରେ ପ୍ରତିଯୋଗିତା କରିପାରିବେ ନାହିଁ ଏବଂ ରପ୍ତାନିକାରୀମାନଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ ।