କନକ ବ୍ୟୁରୋ : ଓଡ଼ିଆଙ୍କ ପାଇଁ ପଖାଳ ସାଙ୍ଗକୁ ଶୁଖୁଆର ମଜା ଟିକେ ଅଲଗା । ଦିନେ ଗରିବ ଲୋକଙ୍କ ଖାଦ୍ୟ ଭାବେ ଗଣାଯାଉଥିବା  ଶୁଖୁଆ ଏବେ ବଡ଼ବଡ଼ିଆଙ୍କର ମଧ୍ୟ ବଡ଼ ବ୍ୟଞ୍ଜନ ପାଲଟିଛି । ବଡ଼ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟରେ ଶୁଖୁଆର ସ୍ୱତନ୍ତ୍ର ମେନ୍ୟୁ ରହିଛି । ତେବେ ଅନ୍ୟ ସ୍ଥାନରେ ମିଳୁଥିବା ଶୁଖୁଆ ଅପେକ୍ଷା ଧାମରା ଶୁଖୁଆ ବେଶ୍ ନିଆରା । ଗ୍ରାହକଙ୍କ ଚାହିଦା ମୁତାବକ ଶୁଖୁଆ ପ୍ରସ୍ତୁତ କରୁଛନ୍ତି  ଏସଏଚଜି ମହିଳା । ଉତ୍ପାଦକ ଗୋଷ୍ଠୀ ଗଠନ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଧାମରାସ୍ଥିତ ମା’ ଧାମରାଈ ଶୁଖୁଆ ପ୍ରଡ୍ୟୁସର ଗ୍ରୁପ୍ ପକ୍ଷରୁ ଉନ୍ନତ ମାନର ଶୁଖୁଆ ପ୍ରସ୍ତୁତ କରାଯାଉଛି ।

Advertisment

ବିନା କେମିକାଲରେ ଶୁଖୁଆ ପ୍ରସ୍ତୁତ କରାଯାଉଥିବାରୁ ବଜାରରେ ଏହାର ଅଧିକ ଚାହିଦା ରହିଛି । ମାଛକୁ ଭଲ ଭାବେ ଧୋଇ ଖରାରେ ଶୁଖାଇ ପ୍ୟାକେଟିଂ କରି ବିକ୍ରି କରୁଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳାରେ ଶୁଖୁଆ ବିକୁଛନ୍ତି ମହିଳା । ଦାମ୍ କିଲୋ ପ୍ରତି ୪୦୦ ଟଙ୍କାରୁ ଅଧିକ ରହିଛି।  ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ମାଛ କିଣି ଶୁଖୁଆ ପ୍ରସ୍ତତ କରନ୍ତି ମହିଳା । ଶିଳା, ମୁସୁରା, ନାଞ୍ଜି, ପତିରି, ଖଇଙ୍ଗା, ତୁଆଡ଼ି, ତେଲ ପାମ୍ପୁଡି, ମୋତି, ଢକରା, କୋକିଳ, ଗୋଗୁଆ, ମନୋହରୀ, ଚାଉଳି, ଇଲସି, ପଥର ମୁଣ୍ଡି, ଓଳେଇ ଓ ଚିଙ୍ଗୁଡ଼ି ମାଛକୁ ଶୁଖୁଆ କରି କରି ବେଶ ଲାଭବାନ ହେଉଛନ୍ତି । 

ଆଗକୁ ଶୁଖୁଆକୁ ସାରାଦେଶରେ ତଥା ଅନ୍ତର୍ଜାତୀୟ ସ୍ତରରେ ଅନଲାଇନ ମାଧ୍ୟମରେ ବିକ୍ରି କରିବାକୁ ଏହି ମହିଳାମାନେ ଲକ୍ଷ୍ୟ ରଖିଛନ୍ତି ।