Ahmedabad Couple’s Inspiring Journey Photograph: (KanakNews)
କନକ ବ୍ୟୁରୋ: ଅହମ୍ମଦାବାଦର ଶ୍ରୀକାନ୍ତ ମାଲଦେ ଓ ତାଙ୍କ ପତ୍ନୀ ଚାର୍ମି ମାଲଦେ ଦୁହେଁ ଆଇଟି ଜଗତରେ ଦାମୀ ଦରମାରେ ଚାକିରି କରୁଥିଲେ । କିନ୍ତୁ ସେମାନଙ୍କୁ କାମରେ ସନ୍ତୁଷ୍ଟି ମିଳୁନଥିଲା । କାରଣ ଧରାବନ୍ଧା ସିଡ୍ୟୁଲ ଯେମିତି ସେମାନଙ୍କୁ ଅଣନିଃଶ୍ବାସୀ କରିପକାଉଥିଲା । କିଛି ନୂଆ କରିଦେଖାଇବାକୁ ଚାହୁଥିଲେ । ଏମିତି ଚିନ୍ତା କରୁ କରୁ ତାଙ୍କ ଜୀବନରେ ଗୋଟେ ମୋଡ଼ ଆସିଲା ଯାହା କଷ୍ଟ ତ ଦେଇଥିଲା କିନ୍ତୁ ସେମାନଙ୍କ ବିଚାରକୁ ଏକ ରୂପ ଦେଇଗଲା ।
୨୦୧୪ରେ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ କ୍ୟାନ୍ସରରେ ଶ୍ରୀକାନ୍ତଙ୍କ ବାପାଙ୍କର ମୃତ୍ୟୁ ହୋଇଗଲା । ଏ ଘଟଣା ଯେମିତି ସେମାନଙ୍କ ଆଖିରୁ ପରଦା ହଟାଇ ସତକୁ ଦେଖିବାକୁ ବାଟ ଖୋଲିଲା । ସବୁବେଳେ ପ୍ରକୃତିକୁ ଭଲପାଉଥିବା ଶ୍ରୀକାନ୍ତ ଓ ପତ୍ନୀ ଚାର୍ମି ନିଜ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେଲେ । ଜୈବିକ ଖାଦ୍ୟ ଖାଇବା ଉପରେ ଗୁରୁତ୍ବ ଦେଲେ । ହେଲେ ବଜାରରେ ବିନା ସାରରେ ଜୈବିକ ଉପାୟରେ ଚାଷ ହେଉଥିବା ପନିପରିବା ମିଳିବା କଷ୍ଟକର ଥିଲା । ତେଣୁ ଏହା ନିଜେ କରିବାକୁ ନିଷ୍ପତ୍ତି ନେଲେ । ଏଥିପାଇଁ ସେମାନେ ନାମୀ ଚାଷୀ , କୃଷି ଅଧିକାରୀଙ୍କ ସହ ଆଲୋଚନା କଲେ । ଆଉ ଜାଣିବାକୁ ପାଇଲେ ଗାଈ କେବଳ କ୍ଷୀର ଦିଏନି ବରଂ ମାଟିକୁ ଉର୍ବର ବନାଇବାରେ ସବୁଠାରୁ ବଡ଼ କାମ କରେ । ତେଣୁ ୨୦୧୭ରେ ଡାଏରି ଫାର୍ମ କରିବାକୁ ବାହାରିଲେ ଶ୍ରୀକାନ୍ତ ଓ ଚାର୍ମି ।
ଅଢ଼େଇ ହଜାରରୁ ସିଧା ୨୫ ହଜାର, ୧୦ ଗୁଣା ବଢ଼ିଗଲା ଗାଡ଼ି ଫିଟନେସ୍ ଫି
ପ୍ରଥମେ ୪ ଟି ଗାଈ କିଣି ଫାର୍ମ ଆରମ୍ଭ କଲେ । ଏଥିରୁ ତାଙ୍କୁ ଯେଉଁ A2 କ୍ଷୀର ମିଳୁଥିଲା ସେଥିରୁ ନିଜେ ଘିଅ ବି ବନାଉଥିଲେ । ଉଭୟ କ୍ଷୀର ଓ ଘିଅ ପ୍ରଥମେ ନିଜ ସାହିପଡ଼ିଶା ଓ ପରିଚିତ ଲୋକଙ୍କୁ ବିକ୍ରି କଲେ । ଏଭଳି ଭାବେ ନିଜ ଡାଏରି ଫାର୍ମର ନାଁ ରଖିଲେ ‘ଗୌନୀତି ଅର୍ଗାନିକ୍ସ’ । ବାହାରେ ଚଢ଼ା ଦାମରେ କ୍ଷୀର କିଣିବାଠାରୁ ଶ୍ରୀକାନ୍ତଙ୍କ ଠାରୁ କ୍ଷୀର କି ଘିଅ କିଣିବାକୁ ଉଚିତ ମନେକଲେ ପାଖ ଲୋକେ । ଧୀରେ ଧୀରେ ଏହାର ଚାହିଦା ବଢ଼ିବାରେ ଲାଗିଲା । ଅବଶ୍ୟ ଲୋକେ ତାଙ୍କ ଡାଏରି ଫାର୍ମ ବିଷୟରେ ଜାଣିବା ଭିତରେ ଏହି ଦମ୍ପତ୍ତିଙ୍କୁ ଢେର ସମସ୍ୟାର ସମ୍ମୁଖୀନ ହୋବାକୁ ପଡ଼ିଛି । ଗାଈଙ୍କ ଯତ୍ନ ନେବା, ବର୍ଷା ଦିନେ ସେମାନଙ୍କୁ ରଖିବା, କାମ କରିବାକୁ ଲୋକ ଯୋଗାଡ଼ କରିବା ଏସବୁ ଗୋଟେ ଗୋଟେ ଚ୍ୟାଲେଞ୍ଜ । ଗୋଟେ ସମୟ ଥିଲା ଯେତେବେଳେ ଉଭୟ ଶ୍ରୀକାନ୍ତ ଓ ଚାର୍ମି ଖୁବ୍ ନିରାଶ ହୋଇପଡ଼ିଥଲେ । କିନ୍ତୁ ପୁଣି ନିଜ ଭିତରେ ସାହସ ନିଗାଡ଼ି ଆଗକୁ ବଢ଼ିଲେ । ୫ ବର୍ଷର କଷ୍ଟ ପରେ ତାଙ୍କ ଚେଷ୍ଟା ସଫଳ ହେଲା । ୨୦୨୩-୨୪ ବର୍ଷରେ ସେମାନଙ୍କ ବାର୍ଷିକ ଆୟ ୨କୋଟିରୁ ଅଧିକ ହୋଇଥିଲା ।
ଏବେ କେବଳ କ୍ଷୀର ଆଉ ଘିଅ ନୁହେଁ ବରଂ ଏଥିରୁ ଲହୁଣୀ, ପନୀର , ଘିଅର ବିସ୍କୁଟ କରି ବଜାରକୁ ଛାଡ଼ୁଛନ୍ତି ଶ୍ରୀକାନ୍ତ ଓ ଚାର୍ମି । ଏହାସହ ଗାଈ ଗୋବରରେ ଧୂପକାଠି ବି ବନାଇ ମାର୍କେଟକୁ ଛାଡ଼ୁଛନ୍ତି । ଖାଲି ଏତିକି ନୁହେଁ ଗାଈ ଗୋବର, ମୁତ୍ରରେ ଜୈବିକ ଖତ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ଏହି ଦମ୍ପତ୍ତି । ସେମାନଙ୍କର ଅନୁଭୂତିକୁ ବାଣ୍ଟିବାକୁ ଏହି ଦମ୍ପତ୍ତିଙ୍କୁ ବିଭିନ୍ନ ସ୍ଥାନରୁ ନିମନ୍ତ୍ରଣ ମିଳୁଛି । ଯୁବକ ଯୁବତୀଙ୍କୁ ଡାଏରୀ ଫାର୍ମ କରି ଆତ୍ମନିର୍ଭରଶୀଳ ହେବାର ପାଠ ପଢ଼ାଉଛନ୍ତି ଶ୍ରୀକାନ୍ତ ଓ ଚାର୍ମି । ଏବେ ଶ୍ରୀକାନ୍ତ ଓ ଚାର୍ମିଙ୍କ ଡାଏରୀ ପ୍ରଡକ୍ଟ ବିଭିନ୍ନ ଅନଲାଇନରେ ଉପଲବ୍ଧ ହେଉଛି । ତାଙ୍କର ରୋଜଗାର ବି ବଢ଼ୁଛି । ତେବେ କିଛି ଅଲଗା କରବାରେ ସେମାନଙ୍କର ନିଷ୍ପତ୍ତି, ସମସ୍ୟା ଆଉ ସଫଳତାର ଯାତ୍ରା ଏବେ ଖବର ସାଉଁଟୁଛି ।
Follow Us