କନକ ବ୍ୟୁରୋ : ନିଯୁକ୍ତି ମିଳୁନି, ବେକାରୀ ବଢୁଛି । ଏଭଳି ସମୟରେ ସ୍ବାଭିମାନର ସହ ବଞ୍ଚିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିବା ତିନିଜଣ ଯୁବକ । କାହା ପାଖରେ ଚାକିରି କରି ହାତ ପତାଇବା ଅପେକ୍ଷା ବ୍ୟବସାୟ କରି ନିଜଗୋଡ଼ରେ ଛିଡ଼ା ହେବାକୁ ଚେଷ୍ଟା କରିଛନ୍ତି ।
ଅମିତ କୁମାର ସାହୁ, ଯୋଗ୍ୟତା- ସିଭିଲ ଇଞ୍ଜିନିୟରିଂରେ ବି.ଟେକ୍ । ୨୦୧୬ରେ ପାସ୍ କରି ପର ପାଖରେ ଚାକିରି କରିବା ବଦଳରେ ସ୍ବାଭିମାନରେ ବଞ୍ଚିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏବେ ଅମିତ ଫାଷ୍ଟ ଫୁଡ୍ ବ୍ୟବସାୟ କରୁଛନ୍ତି । ବ୍ରହ୍ମପୁର ଲାଞ୍ଜିପଲ୍ଲୀରେ ମା’ ତାରାଦେବୀଙ୍କ ଯାତ୍ରା ଅବସରରେ ଅମିତ ଫାଷ୍ଟ ଫୁଡ୍ ଓ ଆଇସ କ୍ରିମ୍ ଦୋକାନ ଖୋଲି ଚର୍ଚ୍ଚାକୁ ଆସିଛନ୍ତି ।
ସେହିପରି ଅମିଙ୍କ ଭାଇ ଆଶିଷ ସାହୁ । କମ୍ପ୍ୟୁଟର ଇଞ୍ଜିନିୟରିଂରେ ବି. ଟେକ୍ କରିଛନ୍ତି । ଅମିତଙ୍କ ସାଥୀ ମାନସ ରଞ୍ଜନ ପତି । ସେ ବି ସିଭିଲ ଇଞ୍ଜିନିୟରିଂରେ ବି. ଟେକ୍ । ଏ ଦୁଇଜଣ ଅମିତଙ୍କୁ ବ୍ୟବସାୟରେ ସହଯୋଗ କରୁଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଯାନିଯାତ୍ରାରେ ଭଲ ବ୍ୟବସାୟ ହେଉଛି । ଚାକିରି ପାଇଁ ବାହାରକୁ ଯିବା ପରିବର୍ତ୍ତେ ଘର ପାଖରେ ରହି ରୋଜଗାର ପାଇବା ଓ ବାପାମାଆଙ୍କ ସେବା କରିବାକୁ ଏମାନେ ବଡ଼ ମନେ କରୁଛନ୍ତି ।