ଗାନ୍ଧୀ ଜୟନ୍ତୀରୁ ଗ୍ରାମାଞ୍ଚଳକୁ ଲକ୍ଷ୍ମୀ ଯୋଜନାରେ ଗଡିବ ବସ୍: ଆପତ୍ତି ଉଠାଇଲେ ଘରୋଇ ବସ୍ ମାଲିକ ସଂଘ

1,526

କନକ ବ୍ୟୁରୋ: ଗାଁ ଗଣ୍ଡାରେ ପରିବହନ ସେବାକୁ ପଂହଚାଇବା ପାଇଁ ଆରମ୍ଭ ହେବାକୁ ଯାଉଛି ‘ଲକ୍ଷ୍ମୀ’ ଯୋଜନା । ହେଲେ ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଛି । ବସ ସେବାକୁ ନେଇ ଆପତ୍ତି ଉଠାଇଛନ୍ତି ଘରୋଇ ବସ ମାଲିକ ସଂଘ । କୋରାପୁଟରେ ଘରୋଇ ବସ ମାଲିକ ଏକାଠି ହୋଇ ଅନେକ ଦାବି ରଖିଛନ୍ତି । ନୂଆ ବସ ନ କିଣି ଘରୋଇ ବସକୁ ଲିଜ୍ ଓ ଭଡା ସୁତ୍ରରେ ନେଇ ଚଳାଇବାକୁ ସେମାନେ ଦାବି କରିଛନ୍ତି । ଏପରିକି ଦାବି ନଶୁଣିଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ ।

ଶୁଭାରମ୍ଭ ଅପେକ୍ଷାରେ ରହିଛି ଚକାଚକ୍ ନୂଆ ବସ୍ । ଜିଲ୍ଲା ମୁଖ୍ୟାଳୟ ସହ ଯୋଡ଼ି ହେବ, ବ୍ଲକ୍ ଓ ପଂଚାୟତ ମୁଖ୍ୟାଳୟ । ଗ୍ରାମାଚଂଳର ପରିବହନ ସେବାକୁ ସୁଲଭ ଓ ସୁଗମ କରିବା ଲକ୍ଷ୍ୟରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ମହତ୍କାଂକ୍ଷୀ ‘ଲକ୍ଷ୍ମୀ’ ଯୋଜନା । ଗାନ୍ଧୀ ଜୟନ୍ତୀରୁ ମାଲକାନଗିରିରୁ ଏହି ସେବାର ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସରିଛି ପ୍ରସ୍ତୁତି ।

ହେଲେ ଘରେ ନପଶୁଣୁ ମୁଣ୍ଡରେ ବାଜିଛି ଚାଳ । ‘ଲକ୍ଷ୍ମୀ’ ଯୋଜନାରେ ଆରମ୍ଭ ହେବାକୁ ଥିବା ବସ୍ ସେବାକୁ ନେଇ ଆପତି ଉଠାଇଛନ୍ତି ଅନେକ ଘରୋଇ ବସ୍ ମାଲିକ ସଂଘ । ଅବିଭକ୍ତ କୋରାପୁଟ୍ ଜିଲ୍ଲାର ୪ଟି ଘରୋଇ ବସ୍ ସଂଘ ଏକାଠି ହୋଇ ସାମ୍ବାଦିକ ସମ୍ମିଳନୀ କରିବା ସହ ବିଭିନ୍ନ ଦାବି ରଖିଛନ୍ତି । ସେମାନଙ୍କର ଯୁକ୍ତି ହେଉଛି-ସରକାର ନୂଆ ବସ ନକିଣି ଘରୋଇ ବସ୍କୁ ଲିଜ୍ ବା ଭଡ଼ା ସୂତ୍ରରେ ନେଇ ଚଳାନ୍ତୁ । ପରିଚାଳନା ଦାୟିତ୍ୱ ଘରୋଇ ବସ୍ ପରିଚାଳନା ସଂଘକୁ ଦିଅନ୍ତୁ । ସରକାର ଜଣିଶୁଣି ଘରୋଇ ବସ୍ ସଂଘକୁ ପଙ୍ଗୁ କରିଦେବା ପାଇଁ ଉଦ୍ୟମ କରୁଛନ୍ତି । ଏହି ଯୋଜନା ଯୋଗୁଁ ଆମ ରୋଜଗାର ମାଡ଼ ଖାଇବ ବୋଲି ଅଭିଯୋଗ କରିଛନ୍ତି । ଯଦି ସରକାର ତାଙ୍କ ଦାବି ଗ୍ରହଣ ନକରନ୍ତି ତେବେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ଘରୋଇ ବସ୍ ମାଲିକ ସଂଘର ଏହି ଆପତି ଭିତରେ କିନ୍ତୁ ଯୋଜନାକୁ ନେଇ ବେସ୍ ଉତ୍ସାହିତ ଜନତା । ଶସ୍ତା ଓ ସୁବିଧାରେ ଗାଁ ପାଖରେ ଅତ୍ୟାଧୁନିକ ବସ୍ ସେବା ମିଳୁଥିବାରୁ ସେମାନେ ବେଶ ଖୁସି ଅଛନ୍ତି ।

ବଡ଼ କଥା ହେଉଛି, ଲକ୍ଷ୍ମୀ ଯୋଜନାରେ ବସ୍ ସେବା ଆରମ୍ଭ ହେବା ପୂର୍ବରୁ ଘରୋଇ ବସ୍ ମାଲିକ ସଂଘର ଏହି ଆନ୍ଦୋଳନ ଚେତାବନୀ, ସେବାରେ ଉପକୃତ ହେବାକୁ ଥିବା ଜନତାଙ୍କ ମଧ୍ୟରେ ଏକ ଆଶା ଆଶଙ୍କା ସୃଷ୍ଟି କରିଛି ।