ଏମିତି ବି ହୁଏ ବସ ଚୋରି । ଭୁବନେଶ୍ୱରରୁ ବସ ଚୋରି କରି କୋଲକାତା ନେଉଥିବା ବେଳେ ପିଛା କଲା ପୋଲିସ । ଯୋଜନାବଦ୍ଧ ଭାବେ ଦୁର୍ଘଟଣା ଘଟାଇ ଦିବ୍ୟାଙ୍ଗ ଅଭିଯୁକ୍ତକୁ ଧରିଲା କମିସନରେଟ୍ ପୋଲିସ

1,106

କନକ ବ୍ୟୁରୋ: ବରମୁଣ୍ଡା ବସଷ୍ଟାଣ୍ଡରୁ ବସ ଗାୟବ । ଚୋରି କରିନେଲେ ଜଣେ ଯୁବକ । କଥାଟି ଅସ୍ୱାଭାବିକ ମନେ ହେଉଥିଲେ ମଧ୍ୟ କଥାଟି ସତ । ଏତେ ବଡ ବସ୍ କଣ କେବେ ଚୋରି ହୋଇପାରେ? କିନ୍ତୁ ଆପଣଙ୍କ ଟିଭି ପରଦାରେ ଦେଖାଯାଉଥିବା ଏହି ଫଟୋରେ ଗୋଟିିଏ ଦୁର୍ଘଟଣା ଗ୍ରସ୍ତ ବସର ଚିତ୍ର ରହିଛି । ଏହି ବସ୍ ଚୋରି ହୋଇଥିବା ବେଳେ କଟକରୁ ଦୁର୍ଘଟଣାର ଶିକାର ହୋଇଥିଲା । କଟକ ଟ୍ରାଫିକ୍ ମୁଖ୍ୟାଳୟକୁ ଶୁକ୍ରବାର ରାତି ୯ଟା ବେଳେ ଏକ ବସ ଚୋରି ହୋଇଥିବା ନେଇ ଖବର ଆସିଥିଲା । ଖବର ପାଇ ପରେ ତତ୍ପରତା ପ୍ରକାଶ କରିଥିଲା କମିଶନରେଟ୍ ପୋଲିସ । ଚୋରକୁ ଧରିବା ପାଇଁ ବ୍ଲୁପ୍ରିଂଟ ହେଲା ପ୍ରସ୍ତୁତ ଏବଂ ଜାତୀୟ ରାଜପଥକୁ କରାଗଲା ସିଲ୍ ।

ପୋଲିସ ହାବୁଡରୁ ନିଜକୁ ରକ୍ଷା କରିବା ପାଇଁ ଚୋର ବସଟିକୁ ସହର ଭିତରକୁ ଖୁବ ଜୋରରେ ନେଇ ଯାଉଥିଲା । ହେଲେ ପୂର୍ବ ଯୋଜନା ମୁତାବକ ଏକ ଟ୍ରକକୁ ରାସ୍ତା ଉପରେ ରଖା ଯାଇଥିଲା । ଶେଷରେ ଟ୍ରକକୁ ଧକ୍କା ଦେଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଚୋରକୁ କାବୁ କରିଛି ପୋଲିସ । ବରମୁଣ୍ଡା ବସଷ୍ଟାଣ୍ଡରେ ଆରୟନ ବସଟି ପାର୍କିଂ ହୋଇଥିବାବେଳେ ଏହାକୁ ଧରି ଚମ୍ପଟ ମାରୁଥିଲା ଚୋର ।

ଗିରଫ ହୋଇଥିବା ବସ ଚୋର ଜଣକ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ପୂର୍ବରୁ ସେ ଏକାଧିକ ବସ ଚୋରି କରିଥିବା ଜଣାପଡିଛି । ଏହି ଆର୍ୟନ୍ ବସକୁ ଭୁବନେଶ୍ୱର ବରମୁଣ୍ଡାରୁ ପଶ୍ଚିମବଙ୍ଗ ନେଇଯିବା ପାଇଁ ତାର ଯୋଜନା କରିଥିଲା । ଅଭିଯୁକ୍ତ ଜଣକ ବାଲେଶ୍ୱର, ବରମୁଣ୍ଡା ଓ ବାଦାମବାଡିରେ ମୋଟ ୪ଟି ବସ ଚୋରିରେ ସଂପୃକ୍ତ ଥିବା କମିଶନରେଟ୍ ପୋଲିସ ସ୍ପଷ୍ଟ କରିଛି ।