କନକ ବ୍ୟୁରୋ: ନନ୍ଦନକାନନ ସିଂହ ସଫାରିରେ ଫସିଲା ବସ୍ । ଭୟଭୀତ ହୋଇପଡ଼ିଲେ ପର୍ଯ୍ୟଟକ । ପାଖାପାଖି ଘଣ୍ଟାଏ ପରେ ସବୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ସିଂହଗୁଡିକୁ କାବୁ କରି ଫିଡିଂ ଚାମ୍ବରରେ ରଖାଯିବା ପରେ ଅନ୍ୟ ଏକ ବସରେ ପର୍ଯ୍ୟଟକମାନଙ୍କୁ ବାହାରକୁ ଅଣାଯାଇଥିଲା । ଘଟଣାର ଯାଞ୍ଚ କରିବା ପାଇଁ ପ୍ରାଣୀ ଉଦ୍ୟାନର ସହକାରୀ ବନ ସଂରକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ ।

Advertisment
  • ନନ୍ଦନକାନନ ସିଂହ ସଫାରିରେ ଫସିଲା ବସ୍
  • ବସ ଭିତରେ ଅଟକି ରହିଲେ ପର୍ଯ୍ୟଟକ

ସବୁଦିନ ଭଳି ଶନିବାର ଦିନ ବି ନନ୍ଦନକାନନ ବୁଲିବାକୁ ଆସିଥିଲେ ହଜାର ହଜାର ପର୍ଯ୍ୟଟକ । ଆଉ କିଛି ପର୍ଯ୍ୟଟକ ବାଘ ସଫାରୀ ଓ ସିଂହ ସଫାରୀରର ଆନନ୍ଦ ନେଉଥିଲେ । ବସ ପାଖ ଦେଇ ବାଘ ଓ ସିଂହ ବୁଲୁଥିଲେ । ବାଘ ଓ ସିଂହକୁ ଅତି ନିକଟରୁ ଦେଖି ଏହାର ମଜା ନେଉଥିଲେ ପର୍ଯ୍ୟଟକ । କିନ୍ତୁ କେଇ ସେକେଣ୍ଡରେ ସବୁ ମଜା ଫିକା ହୋଇଗଲା । ପର୍ଯ୍ୟଟକମାନେ ବାଘ ସଫାରୀ ବୁଲି ସିଂହ ସଫାରୀ ଭିତରେ ଯାଉଥିବା ବେଳେ ବସ୍ଟି ଏକ ଗାତରେ ପଡ଼ିଯାଇଥିଲା । ଯେତେ ଚେଷ୍ଟା କଲେ ବି ଗାତରୁ ବାହାରି ପାରିନଥିଲା ବସ ଚକ । ଭୟଭୀତ ହୋଇଯାଇଥିଲେ ସବୁ ଯାତ୍ରୀ । ପାଖାପାଖି ୧ ଘଣ୍ଟା ରହିବା ପରେ ନନ୍ଦନକାନନ କର୍ତୃପକ୍ଷଙ୍କ ନିର୍ଦ୍ଦେଶରେ କର୍ମଚାରୀମାନେ ସିଂହ ଗୁଡ଼ିକୁ କାବୁ କରି ଫିଡିଂ ଚାମ୍ବରରେ ରଖିଥିଲେ । ପରେ ଅନ୍ୟ ଏକ ବସ୍ରେ ପର୍ଯ୍ୟଟକମାନଙ୍କୁ ବାହାରକୁ ଅଣାଯାଇଥିଲା ।

ସିଂହ ସଫାରିରେ ଅଚାନକ୍ କାହିଁକି ଅଟକିଲା ବସ୍? କାହାର ଥିଲା ଭୁଲ? ଏହାର ଯାଞ୍ଚ କରିବା ପାଇଁ ପ୍ରାଣୀ ଉଦ୍ୟାନର ସହକାରୀ ବନ ସଂରକ୍ଷକକୁ ନିର୍ଦ୍ଦେଶ ଦେଇଛନ୍ତି ନନ୍ଦନକାନନ ଉପ ନିର୍ଦ୍ଦେଶକ । ତେବେ ପ୍ରାଥମିକ ଯାଂଚରୁ ଜଣାପଡିଛି ଯେ ବର୍ଷା ଯୋଗୁଁ ରାସ୍ତାର ଗୋଟିଏ ପଟେ ବଡ ଗାତ ହୋଇଯାଇଥିଲା । ଡ୍ରାଇଭରର ସାମାନ୍ୟ ଅବହେଳା ଯୋଗୁଁ ଗାଡିଟି ରାସ୍ତାରୁ ତଳକୁ ଖସି ଯାଇ ଗାତରେ ପଡିଯାଇଥିଲା ବସ ଚକ ।

ଟୟ ଟ୍ରେନ ଆରମ୍ଭ ହେବା ପରଠାରୁ ଏହାର ଚଳାଚଳ ନେଇ ଅନେକ ସମସ୍ୟା ହୋଇଛି । ଟ୍ରେନ ବନ୍ଦ ହୋଇଯିବାରୁ ଯାତ୍ରୀମାନଙ୍କୁ ଅନେକ ବାଟ ଚାଲିବାକୁ ବି ପଡିଛି । ଆଉ ଏବେ ସଫାରୀରେ ଏମିତି ସମସ୍ୟା ପର୍ଯ୍ୟଟକଙ୍କୁ ଚିନ୍ତାରେ ପକାଇଛି ।