ସ୍ଥଗିତ ହେଲା ବସ ଧର୍ମଘଟ: ଆଲୋଚନା ପରେ ଘରୋଇ ବସ୍ ମାଲିକ ସଂଘର ନିଷ୍ପତି

1,825

କନକ ବ୍ୟୁରୋ: ସ୍ଥଗିତ ହେଲା ଘରୋଇ ବସ୍ ଧର୍ମଘଟ । ଅକ୍ଟୋବର ୩୧ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ନେଇ ଘରୋଇ ବସ୍ ମାଲିକ ସଂଘର ନିଷ୍ପତି ନେଇଛି । ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧକରି କାଲିଠାରୁ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟ ହେବାର ଥିଲା । ତେବେ ସରକାରଙ୍କ ସହ ଆଲୋଚନା ପରେ ନରମିଛି ଘରୋଇ ବସ ମାଲିକ ସଂଘ । ସେପଟେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ପାଇଁ ସରକାର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତିରେ ପରିବର୍ତନ କରିଛି ଘରୋଇ ବସ ମାଲିକ ସଂଘ । ଏବଂ ଆସନ୍ତାକାଲିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହେବାକୁ ଥିବା ବସ ଧର୍ମଘଟକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖିଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଏନେଇ ସୂଚନା ଦେଇଛନ୍ତି ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ । କହିଛନ୍ତି, ରାଜ୍ୟ ସରକାର ଲକ୍ଷ୍ମୀ ବସ ଯୋଜନାରେ ୧୬ଶହ ବସ ଚଳାଇବେ । ସେଥିରୁ ୧ହଜାର ବସ ପଂଚାୟତରୁ ବ୍ଲକ୍ ଏବଂ ୬ଶହ ବସ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଚାଲିବ । ଏହି ୬ଶହ ବସ ମଧ୍ୟରେ ଘରୋଇ ବସକୁ ଉକ୍ତ ଯୋଜନାରେ ସାମିଲ କରିବା ପାଇଁ ଦାବି କରିଥିଲା ସଂଘ । ସରକାର ଏହାକୁ ବିଚାରକୁ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଗୋଟିଏ ପଟେ ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ ନିଷ୍ପତିକୁ ସ୍ଥଗିତ ରଖିଥିବାବେଳେ ଆଉ ଗୋଟିଏ ପଟେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ମାଲକାନଗିରିରେ ଯୋଜନାର ଶୁଭାରମ୍ଭ ହେବାକୁ ଥିବାରୁ, କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତିରେ ଲାଗି ପଡିଛି ପ୍ରଶାସନ । ଲକ୍ଷ୍ମୀ ଯୋଜନାରେ ଚାଲିବାକୁ ଥିବା ବସ୍ ଗୁଡିକର ବ୍ରାଣ୍ଡିଂ କାମ ଶେଷ ହୋଇଛି । ବିଭିନ୍ନ ରୁଟରେ ବସର ଟ୍ରାଏଲ ରନ୍ କରାଯାଇଛି । ୪୩ଜଣ ବସ୍ ଚାଳକଙ୍କୁ ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନିଜେ କାର୍ଯ୍ୟକ୍ରମରେ ଯୋଗ ଦେଉଥିବାରୁ ସୂଚାରୁ ରୂପେ ଶେଷ କରିବାକୁ ସମସ୍ତ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ ।

ତେବେ ଲକ୍ଷ୍ମୀ ଯୋଜନାର ସଫଳତାକୁ ନେଇ ଶାସକ ଦଳ ଓ ବିରୋଧୀଙ୍କ ଭିତରେ ବୟାନବାଜି ଆରମ୍ଭ ହୋଇଛି । ଗ୍ରାମାଚଂଳର ପରିବହନ ସେବାକୁ ସୁଲଭ ଓ ସୁଗମ କରିବା ଲକ୍ଷ୍ୟରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ମହତ୍କାଂକ୍ଷୀ ‘ଲକ୍ଷ୍ମୀ’ ଯୋଜନା । ଏହି ଯୋଜନାରେ ଜିଲ୍ଲା ମୁଖ୍ୟାଳୟ ସହ ଯୋଡ଼ି ହେବ, ବ୍ଲକ୍ ଓ ପଂଚାୟତ ମୁଖ୍ୟାଳୟ ।