କନକ ବ୍ୟୁରୋ: ଜନତା କର୍ଫ୍ୟୁ ପାଇଁ ଆଜି ସମଗ୍ର ରାଜ୍ୟରେ ବନ୍ଦ ରହିଛି ଘରୋଇ ବସ୍ ସେବା । ପ୍ରାୟ ୧୪ ହଜାର ଘରୋଇ ବସ୍ ଗଡି ନାହିଁ । ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ଏହି ବସ୍ ନଚଳାଇବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆଜି ସକାଳ ୭ଟାରୁ ରାତି ୯ଟା ଯାଏଁ ଏହି କଟକଣା ଲାଗୁ ରହିବ । ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ଏପରି ନିଷ୍ପତି ନିଆଯାଇଥିବା କହିଛିି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ସେହିପରି ରବିବାର ସାରା ରାଜ୍ୟରେ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିବ ।

Advertisment

ଅନ୍ୟପଟେ ପରବର୍ତ୍ତୀ ଦିନ ଗୁଡିକରେ ଯଦିଓ ଘରୋଇ ବସ୍ ଚଳାଚଳ ପାଇଁ ପ୍ରସ୍ତୁତ ରହିବ, କିନ୍ତୁ ଯାତ୍ରୀ ସଂଖ୍ୟାକୁ ଦେଖି ବସ୍ ଚଳାଚଳ କରିବ। ଯେଉଁ ରୁଟ୍ ପାଇଁ ଆବଶ୍ୟକ ଯାତ୍ରୀ ହେବେ, ସେହି ରୁଟରେ ବସ୍ ଗଡିବ। କିନ୍ତୁ ଯାତ୍ରୀ ନ ହେଲେ ବସ୍ ଚଳାଚଳ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ଘରୋଇ ବସ୍ ମାଲିକ ସଂଘ ।

ଜନତା କର୍ଫ୍ୟୁ ପାଇଁ ଆଜି ପୂର୍ବତଟ ରେଳବାଇ ପକ୍ଷରୁ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ପୁରୀ, ଭୁବନେଶ୍ୱର, ସମ୍ବଲପୁର, ରାୟଗଡା, ବଲାଙ୍ଗୀର, ବିଶାଖାପାଟଣାରୁ ବାହାରୁଥିବା ସମସ୍ତ ସୁପରଫାଷ୍ଟ ଓ ଏକ୍ରପ୍ରେସ ଟ୍ରେନକୁ ଗୋଟିଏ ଦିନ ପାଇଁ ବାତିଲ କରାଯାଇଛି । ସେହିପରି ଭୁବନେଶ୍ୱର, ପୁରୀ, ଭଦ୍ରକ, ବ୍ରହ୍ମପୁର, ପଲାସା, କଟକ, ଖୋର୍ଦ୍ଧା ରୋଡ୍, ପାରାଦୀପ, ଅନୁଗୁଳ, ଗୁଣୁପୁରରୁ ସମସ୍ତ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ଭୋର ୪ଟାରୁ ରାତି ୧୦ ଟା ମଧ୍ୟରେ କୌଣସି ଟ୍ରେନ ଯାତ୍ରା ଆରମ୍ଭ କରିବ ନାହିଁ । ତେବେ ୪ଟା ପୂର୍ବରୁ ଯାତ୍ରା ଆରମ୍ଭ କରିଥିବା ଟ୍ରେନ ଚଳାଚଳ କରିବ । ପୂର୍ବତଟ ରେଳବାଇ ତରଫରୁ ୪୮ଟି ଏକ୍ସପ୍ରେସ ୯୩ଟି ଯାତ୍ରୀବାହୀ ଟ୍ରେନ ବାତିଲ କରାଯାଇଛି । ଜନତା କର୍ଫ୍ୟୁ ପାଇଁ ମୋଟ ୧୪୧ଟି ଟ୍ରେନ ବାତିଲ କରିଛି ପୂର୍ବତଟ ରେଳବାଇ ।