ରସୁଲଗଡ ଛକରେ ଅଟକିଲା ସୁରତ ବସ୍: ସ୍କ୍ରିନିଂ ପରେ ସମସ୍ତଙ୍କୁ ପଠାଗଲା ନିଜ ନିଜ ଅଂଚଳ; ସୁରତ ଫେରନ୍ତାଙ୍କୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ

317

କନକ ବ୍ୟୁରୋ: ସୁରତରୁ ପାଖାପାଖି ୫୬ ଜଣ ପ୍ରବାସୀ ଶ୍ରମିକ ଓଡିଶା ଫେରିଛନ୍ତି । ପ୍ରଥମେ ସମସ୍ତଙ୍କ ସ୍କ୍ରିନିଂ କରି ଭୁବନେଶ୍ୱର ସ୍ଥିତି କ୍ୱାରେନଟିନ ସେଂଟରରେ ରଖିବା ପରେ ସେମାନଙ୍କୁ ନିଜ ନିଜ ଅଂଚଳକୁ ପଠାଇ ଦିଆଯାଇଛି । ପୁରୀ ଜିଲ୍ଲାର ୩୩ ଜଣ, ଖୋର୍ଦ୍ଧା ଜିଲ୍ଲାର ୭ ଜଣ, ବାଲେଶ୍ୱରର ୯, ଢେଙ୍କାନାଳ ୩ ଜଣଙ୍କୁ ସେମାନଙ୍କ ଜିଲ୍ଲାକୁ ପଠାଇଦେଇଛି ପ୍ରଶାସନ । ଗତକାଲି ସୁରତରୁ ଏକ ବସରେ ୫ ଜିଲ୍ଲାର ୫୬ପ୍ରବାସୀ ଓଡିଆଙ୍କୁ ନେଇ ଭୁବନେଶ୍ୱରର ପଲାଶୁଣିରେ ପହଂଚିଥିଲା । ସେଠାରୁ ପୁଲିସ ପଚରା ଉଚରା କରି ସୁରତରୁ ଆସିଥିବା ଜାଣି ରସୁଲଗଡକୁ ପଠାଇଥିଲା । ରସୁଲଗଡରେ ବସକୁ ଅଟକାଇଥିଲା ମଂଚେଶ୍ୱର ପୁଲିସ ।

ସୁରତରୁ ଶ୍ରମିକ ଆସିଥିବା ଜାଣି ବିଏମସି ଓ ସ୍ୱାସ୍ଥ୍ୟ ବିଭାଗର ଟିମ ଘଟଣାସ୍ଥଳରେ ପହଂଚିଥିଲେ । ରସୁଲଗଡ ଛକର ଏକ ଆଶ୍ରମ ସ୍କୁଲରେ ଜଣ ଜଣ କରି ସମସ୍ତଙ୍କ ସ୍କ୍ରିନିଂ କରାଯାଇଥିଲା । ଏହି ସମୟରେ କୋଚିଲେଇ ହାଟ ଠାରୁ ରସୁଲଗଡ ଛକ ଯାଏଁ ରାସ୍ତାକୁ ସିଲ କରିଥିଲା ପୁଲିସ, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ସ୍କ୍ରିନିଂ ସରିବା ପରେ ପ୍ରବାସୀ ଓଡିଆଙ୍କୁ ରସୁଲଗଡ ଆଶ୍ରମ ବିଦ୍ୟାଳୟ କ୍ୱାରେଂଟାଇନ୍ ସେଂଟର ଓ ଭୁବନେଶ୍ୱର ଯାତ୍ରୀ ନିବାସରେ ରଖାଯାଇଥିଲା । ତେବେ ଜିଲ୍ଲା ପ୍ରଶାସନ ସହାୟତାରେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି । ସେଠାରେ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ସଙ୍ଗରୋଧ କେନ୍ଦ୍ରରେ ରହିବେ ବୋଲି ଜଣାପଡିଛି । ତେବେ ସୁରଟ ଫେରନ୍ତାଙ୍କୁ ନେଇ ଅଂଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ସେପଟେ, ସୁରତରୁ ପ୍ରବାସୀ ଓଡିଆଙ୍କୁ ନେଇ ବର୍ତମାନ ଆଉ ଆସିବନି ଟ୍ରେନ୍ । ରାଜ୍ୟ ସରକାରଙ୍କ ପକ୍ଷରୁ ସେଠାରୁ ଆସିବାକୁ ଥିବା ଟ୍ରେନ୍ ବାତିଲ କରାଯାଇଛି । ଟ୍ରେନ୍ ବାତିଲ ନେଇ ସୁରତ ଜିଲ୍ଲାପାଳ ଡକ୍ଟର ଧବଳ ପଟେଲ କହିଛନ୍ତି ଯେ, ଯେଉଁ ପ୍ରବାସୀ ଓଡିଆଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିବ, କେବଳ ତାକୁ ହିଁ ଓଡିଶା ଯିବାକୁ ଅନୁମତି ମିଳିବ । ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ବର୍ତମାନ ଆଉ କୌଣସି ଟ୍ରେନ୍ ଓଡିଶା ଯିବ ନାହିଁ । ତେବେ ସୁରତରୁ ଓଡିଶା ଅଭିମୁଖେ ଯେଉଁ ଟ୍ରେନ୍ ବାହାରିଯାଇଛି କେବଳ ସେହି ଟ୍ରେନ୍ ହିଁ ଓଡିଶା ଯିବ ।