ଆଜିଠାରୁ ସାରା ଓଡିଶାରେ ଚାଲିଲା ବସ୍ : କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଠିଆ ହୋଇଥିବାରୁ ଦରକାର ମରାମତି

153

କନକ ବ୍ୟୁରୋ : ପ୍ରାୟ ତିନି ମାସ ପରେ ଜିଲ୍ଲାସ୍ତରକୁ ଗଡ଼ିଛି ବସ୍ । ଏପ୍ରିଲ ୧୦ରୁ ରାଜ୍ୟ ବାହାରକୁ ଏବଂ ମେ ୫ରୁ ରାଜ୍ୟ ଭିତରେ ବସ ଚଳାଚଳ ବନ୍ଦ ରହିଥିଲା । ୧ ତାରିଖରୁ ୨୦ଟି ଜିଲ୍ଲାରେ ଏବଂ ଏବେ ଅବଶିଷ୍ଟ ୧୦ ଜିଲ୍ଲାରେ ବସ ଚଳାଚଳକୁ ଅନୁମତି ଦିଆଯାଇଛି । ରାଜ୍ୟରେ ପ୍ରାୟ ୧୬ ହଜାରରୁ ଅଧିକ ବସ୍ ଠିଆ ହୋଇ ରହିଥିଲା । ଏଭଳି ସ୍ଥିତିରେ କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଠିଆ ହୋଇଥିବାରୁ ବସ୍ ଗୁଡ଼ିକର ମରାମତି ଦରକାର ପଡୁଛି । ବସ୍ ଗଡ଼ିବା ନେଇ ସରକାରଙ୍କ ନିଷ୍ପତ୍ତି ସତ୍ୱେ ରାସ୍ତାକୁ ଓହ୍ଲାଇଛି ମାତ୍ର ୧୦ରୁ ୧୫ ପ୍ରତିଶତ । ତେବେ ବସରେ ଠିଆ ହୋଇ ଯାତ୍ରା କରିବା ମନା ।

ରାଜ୍ୟର ମୋଟ ୧୬ ହଜାରୁ ଅଧିକ ବସ୍‌ ଗତ ୩ ମାସ ଧରି ଛିଡ଼ା ହୋଇଥିବା ବେଳେ ଏବେ ସେଗୁଡ଼ିକ ଗଡ଼ିବା ପୂର୍ବରୁ ମରାମତି ଖୋଜୁଛି । କଟକ ଓ ଭୁବନେଶ୍ବରରୁ ମୋଟ ବସ୍‌ର ୬୦ ପ୍ରତିଶତ ଥିବା ବେଳେ ଏହାର ମରାମତି ପାଇଁ ଗ୍ୟାରେଜ୍‌ଗୁଡିକ‌େର ମେକାନିକ୍‌ଙ୍କ ଅଭାବ ଦେଖାଯାଇଛି । କଟକ ମଙ୍ଗୁଳି ଛକରୁ ଭୁବନେଶ୍ବରର ପାତ୍ରପଡ଼ା ମଧ୍ୟରେ ୩୭୦ରୁ ଅଧିକ ଛୋଟ-ବଡ଼ ଗ୍ୟାରେଜ୍‌ ରହିଛି। ମାତ୍ର କରୋନା ପାଇଁ ଏଠାରେ କାମ କରୁଥିବା ମେକାନିକ୍‌ ଓ ଶ୍ରମିକମାନେ ଏପ୍ରିଲରୁ ସେମାନଙ୍କ ଗାଁକୁ ଚାଲିଯାଇଛନ୍ତି ।

ସେପଟେ ପ୍ରତି ଗାଡ଼ିରେ ବ୍ୟବହାର ହେଉଥିବା ବ୍ୟାଟେରି ଚାର୍ଜ କରିବା ପାଇଁ ୪୮ ଘଣ୍ଟାରୁ ଅଧିକ ସମୟର ଆବଶ୍ୟକ ରହିଛି । ବସ୍‌ଗୁଡ଼ିକ ଛିଡ଼ା ହୋଇ ରହିଥିବାରୁ ଏବେ ଟାୟାର ଓ ଟ୍ୟୁବ୍‌ର ମରାମତି, କ୍ଲଜ୍‌ ଓ ବ୍ରେକ୍‌‌ରେ ନୂଆ ରବର, ରେଗୁଲେଟରେ କୁଲନ୍‌ ପଡିବା ସହିତ ମୋବିଲ୍‌, ଏସି‌ରେ ଗ୍ୟାସ ଫିଲିଂ ଓ ମରାମତି, ଇଲେକ୍ଟ୍ରିକ୍‌ କାମ ଆଦିର ମରାମତି ଆବଶ୍ୟକ କରୁଛି । ତେବେ ଗ୍ୟାରେଜ୍‌ଗୁଡିକରେ ମେକାନିକ୍‌ ଓ ଶ୍ରମିକ ନଥିବାରୁ ଏବେ ବସ୍‌ ମରାମତି ପାଇଁ ସମସ୍ୟା ଦେଖାଯାଇଛି ।