ଚିନ୍ତା ବଢାଉଛି ମହାମାରୀ । ସଙ୍କଟରେ ରାଜ୍ୟର ୧୪ ହଜାର ଘରୋଇ ବସ୍ ମାଲିକ ।

509

କନକ ବ୍ୟୁରୋ : କରୋନା ଜୀବନ ନେଉଛି, ତାହା ସହିତ ହଜାର ହଜାର ଲୋକଙ୍କ ଜୀବିକାକୁ ଛଡାଇ ନେଇଛି। ସମସ୍ତଙ୍କ ଜୀବିକା ଏବେ ସଙ୍କଟରେ ରହିଛି। ତେବେ କରୋନାର ପ୍ରଥମ ଓ ଦ୍ୱିତୀୟ ଲହରରେ ସର୍ବାଧିକ ପ୍ରଭାବିତ ହୋଇଥିବା ଯାତ୍ରୀ ପରିବହନ ବ୍ୟବସ୍ଥା ପୁଣିଥରେ ପ୍ରଭାବିତ ହୋଇଛି। ପ୍ରଥମ ଲହରରେ ୭ ମାସ କ୍ଷତି ସହିଥିବା ବସ ମାଲିକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏବେ ପୁଣି ଦ୍ୱିତୀୟ ଲହରରେ ସେହି ସମାନ ଦଶା ଭୋଗିଛି। ଗତ ଲହରରୁ ବର୍ତ୍ତି ନଥିବା ଓ ନିଜର ବସ ସଜାଡିବାକୁ ଟଙ୍କା ଯୋଗାଡ କରିପାରୁନଥିବା ମାଲିକମାନେ ଏବେ ପୁଣି ହାତ ବାନ୍ଧି ବସିଛନ୍ତି। ଏପ୍ରିଲ ମାସର ସପ୍ତାହାନ୍ତ ସଟଡାଉନ, ନାଇଟ କର୍ଫ୍ୟୁ ପରେ ଯାତ୍ରୀ ପରିବହନ ହୋଇପାରୁନି। ସେପଟେ ଅନ୍ତରାଜ୍ୟ ବସ ଚଳାଚଳ ବନ୍ଦ କରାଯାଇଛି। ଏବେ ପୁଣି ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସରକାର ଲକଡାଉନ ଘୋଷଣା କରିବା ପରେ ଚିନ୍ତା ପଶିଛି। ତେବେ ଏହା ଦ୍ବାରା ରାଜ୍ୟର ପାଖାପାଖି ୧୪ ହଜାର ବସ ମାଲିକଙ୍କ ସମେତ ଏହି ବସ ଉପରେ ନିର୍ଭର କରୁଥିବା ୫୭ ହଜାର ପ୍ରତ୍ୟକ୍ଷ କର୍ମଚାରୀଙ୍କ ଜୀବିକା ଜୀବନ ମଧ୍ୟ ବିପନ୍ନ ହୋଇଛି। ପରୋକ୍ଷରେ ଏହା ଉପରେ ନିର୍ଭର କରୁଥିବା ପାଖାପଖି ୩ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ବସ ଚାଳକମାନେ ଗତ ଥର ପରିବା ବ୍ୟବସାୟ କରୁଥିବା ତ କିଏ ଗାଁରେ ନିଜର କୌଳିକ ବୃତ୍ତି କରି ଚଳୁଥିଲେ। ଏଥର ତାଙ୍କୁ ଏ ବୃତ୍ତି ଛାଡିବାକୁ ବାଧ୍ୟ କରୁଛି। ବସ ଚାଳକ, ହେଲପର, କଣ୍ଡକ୍ଟର ଓ ଖଲାସି ସମସ୍ତେ ଜୀବିକା ହରାଇଛନ୍ତି। ସେମାନଙ୍କୁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସହାୟତା ଦିଆଯାଉନାହିଁ। ବସ ଚାଲୁନଥିବାରୁ ମାଲିକମାନେ କିସ୍ତି ଓ ବୀମା ଦେଇପାରୁନଥିବା ବେଳେ ବସ କର୍ମଚାରୀଙ୍କ ଦରମା କେଉଁଠୁ ଆଣିଦେବେ ବୋଲି ମତ ରଖିଛନ୍ତି। ରାଜ୍ୟର ଶହ ଶହ ବସ ମାଲିକ ଏବେ ଏହି କାରଣରୁ ବସ ଚଳାଇ ପାରୁନାହାନ୍ତି। ଗତବର୍ଷ ୭ ମାସ ବସ୍ ଛିଡା କରି କିସ୍ତି ଦେଇଥିବା ବସ ମାଲିକ ଏବେ ବସ ମରାମତି କରିବାକୁ ମଧ୍ୟ ସେମାନଙ୍କ ପାଖରେ ଅର୍ଥାଭାବ ଦେଖାଦେଇଛି। ଶହ ଶହ ବସ ମାଲିକ ଏବେ ବସ ବିକ୍ରି କରି ଦେଉଥିବା ଜଣାପଡିଛି। ବ୍ୟାଙ୍କ ଓ ଫାଇନାନସ କଂପାନି କିସ୍ତି ମାଗିବାରେ କୋହଳ କରୁନାହିଁ।

ଇନସୁରାନସ କଂପାନି ମଧ୍ୟ କୋହଳ କରୁନଥିବାରୁ ବସ ମାଲିକମାନେ ହତାଶ ହୋଇପଡିଛନ୍ତି। ସରକାର ବସ ମାଲିକଙ୍କ ଦୁଃଖ କଥା ବୁଝିବା ସହିତ ଏହା ଉପରେ ନିର୍ଭର କରୁଥିବା କର୍ମଚାରୀଙ୍କ କଥା ବୁଝିବାକୁ ରାଜ୍ୟ ବସ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଦାବି ମୁତାବକ, ଏପ୍ରିଲ, ମେ ଓ ଜୁନ ମାସର ଟ୍ୟାକ୍ସ ଛାଡ କରିବା, ଇନସ୍ୟୁରାନ୍‌ସ କଂପାନି ବୀମା ଅବଧିକୁ ୩ ମାସ ପାଇଁ ବୃଦ୍ଧି କରିବା, ଇନସ୍ୟୁରାନ୍‌ସ କଂପାନି ତିନି ମାସ ପାଇଁ କିସ୍ତି ନ ମାଗିବା ଓ ପଡୋଶୀ ରାଜ୍ୟଗୁଡିକୁ ରୋଡ ଟ୍ୟାକ୍ସ ଛାଡ କରିବାକୁ ନିବେଦନ କରିଛନ୍ତି।