ମଧ୍ୟପ୍ରଦେଶର ଗୁୱାଲିଅର ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋ ଉପରେ ମାଡିଗଲା ବସ୍ । ଘଟଣା ସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ।

69

କନକ ବ୍ୟୁରୋ : ମଧ୍ୟପ୍ରଦେଶ ଗୁୱାଲିଅର ଠାରେ ମଙ୍ଗଳବାର ଦିନ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ପୁରୁଣା ଛାବିନ ଠାରେ ଅଟୋ ଓ ବସ୍ ମଧ୍ୟରେ ଦୁର୍ଘଟଣା ଘଟି ୧୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୨ ଜଣ ମହିଳା ଥିବା ବେଳେ ଜଣେ ଅଟୋ ଡ୍ରାଇଭର ଅଛନ୍ତି । ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବଗୁଡିକୁ ବ୍ୟବଛେଦ ପାଇଁ ପଠାଇଛି ।

ସୂଚନା ମୁତାବକ ବସଟି ଗୁୱାଲିଅରରୁ ମୁରେନା ପଟେ ଯାଉଥିଲା, କୁହାଯାଉଛି କି ମହିଳା ମାନେ ୨ ଟି ଅଟୋରେ ଯାଉଥିବା ବେଳେ ଗୋଟିଏ ଅଟୋ ଖରାପ ହୋଇଯାଇଥିଲା । ଫଳରେ ମହିଳାମାନେ ଗୋଟିଏ ଅଟୋରେ ଖୁନ୍ଦା ଖୁନ୍ଧି ହୋଇ ବସିପଡିଥିଲେ । ହଠାତ କୌଣସି କାରଣରୁ ବସ୍ ଟି ଅଟୋ ଉପରେ ମାଡି ଯାଇଥିଲା । ଫଳରେ ଅଟୋରେ ଥିବା ସମସ୍ତ ୧୨ ଜଣ ମହିଳା ଓ ଅଟୋ ଡ୍ରାଇଭରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ଦୁଖ ପ୍ରକାଶ କରିଛନ୍ତି । ଏହାସହ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଅନ୍ୟପଟେ ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ବି ଘୋଷଣା କରିଛନ୍ତି ।