ରାସ୍ତାରେ କୁଢକୁଢ ଅଳିଆ ଦେଖି ନାକଟେକି ଦେଲେ ବାହାର ରାଜ୍ୟର ପର୍ଯ୍ୟଟକ । ନୟାଗଡରୁ ନିମାପଡା ଆସିଲେ, ନିଜେ ରାସ୍ତା ସଫାକଲେ । ନିଜ ମହାନତା ପାଇଁ ଚର୍ଚ୍ଚାରେ ଗୋଲେଖ…

372

କନକ ବ୍ୟୁରୋ: ପରିବେଶ ପରିଷ୍କାର ହେବ, ସମାଜ ସ୍ୱଚ୍ଛ ରହିବ, ମୋ ମାଟି, ମୋ ରାଜ୍ୟ, ମୋ ଦେଶ ସଫା ଦିଶିବ । କିଛି ଏମିତି ଝୁଙ୍କ ନେଇ ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିଛନ୍ତି ଏ ବ୍ୟକ୍ତି । ପେସା ଟୁରିଷ୍ଟ ବସର ହେଲପର କାମ । କିନ୍ତୁ ନିଶା ରାସ୍ତାଘାଟ ସଫା ରଖିବା । ହାତରେ କୋଦାଳ, ମନରେ ଦୃଢଇଚ୍ଛା ଶକ୍ତି ନେଇ ରାସ୍ତା କଡର ଅଳିଆ ସଫା କରୁଛନ୍ତି ଗୋଲେଖ । ସବୁଠାରୁ ଆଶ୍ଚର୍ଯ୍ୟ କଥା ଘର ତାଙ୍କର ନୟାଗଡ ହୋଇଥିଲେ ବି ସଫେଇ ପାଇଁ ସେ ନୟାଗଡରୁ ନିମାପଡା ଆସିଛନ୍ତି ।

ତେବେ ମୁଣ୍ଡଫଟା ଖରାରେ ରାସ୍ତା ସଫା କରୁଥିବା ଏ ବ୍ୟକ୍ତି ଜଣଙ୍କ ହେଉଛନ୍ତି ନୟାଗଡ ଜିଲ୍ଲା ଭାପୁର ବ୍ଲକ ଫତେଗଡ ଗାଁର ଗୋଲେଖ ଓଝା । ପେସାରେ ସେ ହେଉଛନ୍ତି ବସ ହଲେପର । ଟୁରିଷ୍ଟ ବସରେ ଗୋଲେଖ ହେଲ୍ପରିଂ କାମ କରି ପେଟ ପୋଷନ୍ତି ଆଉ ସେହି ଟଙ୍କାରେ ସମାଜ ସେବା କରନ୍ତି । ତେବେ ଦିନେ ବସରେ ଗଲାବେଳେ ନିମାପଡା କୁଶଭଦ୍ରା ବ୍ରିଜ ଉପରେ କୁଢକୁଢ ଅଳିଆ ଗଦାର ଦୁର୍ଗନ୍ଧରେ ଯାତ୍ରୀଙ୍କ ନାକ ଫାଟିପଡିଥିଲା ଆଉ ସମସ୍ତେ ନାକରେ ରୁମାଲ ଦେଇଥିଲେ ଯେଉଁ ଘଟଣା ଗୋଲେଖଙ୍କୁ ବ୍ୟଥିତ କରିଥିଲା । ଓଡିଶାର ରାସ୍ତା ଘାଟ ଅପରିଷ୍କାର ପାଇଁ ବାହାରୁ ଆସୁଥିବା ଲୋକେ ଓଡିଶା ପ୍ରତି ନକରାତ୍ମକ ମନୋଭାବ ପୋଷଣ କରୁଛନ୍ତି । ତେଣୁ ସେଦିନ ସେ ସଫା କରିବାକୁ ସଙ୍କଳ୍ପ ନେଇଥିଲେ । ନିଜ ଛୁଟି ଦିନରେ ନୟାଗଡରୁ ନିମାପଡା ଆସି କୁଶଭଦ୍ରା ପୋଲକୁ ସଫା କରିଥିଲେ । ତେବେ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରି ଜଣେ ମହିଳାଙ୍କ ସାହାଯ୍ୟରେ ସେ ଏ ସଫେଇ କାମ କରିଥିଲେ । ଖାଲି ନିମାପଡା ନୁହେଁ ପର୍ଯ୍ୟଟନସ୍ଥଳୀ ପୁରୀକୁ ପରିଷ୍କାର କରିବାକୁ ଶପଥ ନେଇଛନ୍ତି ଗୋଲେଖ । ବାଟସାରା ଅଳିଆ ଆବର୍ଜନା ପାଇଁ ବାହାର ରାଜ୍ୟର ପର୍ଯ୍ୟଟକଙ୍କୁ ଭଲ ବାର୍ତ୍ତା ଯାଉ ନଥିବାରୁ ସ୍ୱଚ୍ଛ ଭାରତ ଅଭିଯାନରେ ନିଜକୁ ସାମିଲ କରିଛନ୍ତି ବସ ହେଲପର ।

ତେବେ ବାହାର ଜିଲ୍ଲାରୁ ଆସି ନିଜ ଅଞ୍ଚଳର ରାସ୍ତାଘାଟ ସଫା କରୁଥିବା ଗୋଲେଖ ସ୍ଥାନୀୟ ଲୋକଙ୍କ ଆଖି ଖୋଲି ଦେଇଥିବା ବେଳେ ଗୋଲେଖଙ୍କ କାମକୁ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ଏହି ସଫେଇ କାମକୁ ଆଗେଇ ନେବାକୁ ସ୍ଥାନୀୟ ଲୋକେ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନରେ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ଲୋକ ଦିନେ ଝାଡୁ ଧରି ବାହାରକୁ ବାହାରୁଥିଲେ ହେଲେ ଏବେ ରାସ୍ତା କଡରେ କୁଢକୁଢ ଅଳିଆ ପଡୁଥିଲେ ବି କାହା ଆଖିରେ ପଡୁନି । ମାତ୍ର ବାହାର ରାଜ୍ୟର ଜଣେ ବସ ହେଲପର ଯେତେବେଳେ ନିଜ ଅଞ୍ଚଳରେ ଆସି ସଫେଇ କରୁଛନ୍ତି ତାହା ସବୁ ମହଲରୁ ସାବାସୀ ସାଉଁଟିଥିବା ବେଳେ ଜଣେ ସାଧାରଣ ବସ ହେଲପରଙ୍କ ସମାଜ ସେବା ମନୋବୃତିକୁ ସାଲ୍ୟୁଟ୍ କରାଯାଇଛି ।