ବୋଝ ଉପରେ ନଳିତା ବିଡ଼ା , ତେଲ ପାଇଁ ବଢ଼ିଲା ବସ୍ ଭଡ଼ା । ଜାଣନ୍ତୁ କେଉଁ ବସରେ କିଲୋମିଟର ପିଛା ଦେବାକୁ ପଡିବ କେତେ ପଇସା ।

75

କନକ ବ୍ୟୁରୋ: ବଢ଼ିଲା ବସ୍ ଭଡ଼ା । ଅହେତୁକ ଭାବେ ତେଲ ଦର ବୃଦ୍ଧି ପାଉଥିବାରୁ ବସ୍ ଭଡ଼ା ମଧ୍ୟ ବୃଦ୍ଧି କଲେ ରାଜ୍ୟ ସରକାର । ବସ୍ ଭଡ଼ା ବାବଦକୁ କିଲୋମିଟର ପିଛା ୨ ଓ ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି । ଏହି ଆଧାରରେ ସାଧାରଣ, ଏକ୍ସପ୍ରେସ ବସ୍ ଭଡ଼ା ପ୍ରତି କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି । ଏହାସହ ଡିଲକ୍ସ, ଏସି ଡିଲକ୍ସ ବସର ପ୍ରତି କିଲୋମିଟର ପିଛା ୪ ପଇସାକୁ ବୃଦ୍ଧି କରାଯାଇଛି ।

ତେବେ ପୂର୍ବରୁ ସାଧାରଣ ବସ୍ ଭଡ଼ା ପ୍ରତି କିଲୋମିଟର ପିଛା ୭୦ ପଇସାଥିଲା ଯାହା ବର୍ତ୍ତମାନ ୭୨ ପଇସାକୁ ବୃଦ୍ଧି ପାଇଛି । ସେହିଭଳି ଏକ୍ସପ୍ରେସ ବସ୍ ଭଡ଼ା ପ୍ରତି କିଲୋମିଟର ପିଛା ୭୩ ପଇସା ଥିବାବେଳେ ତାହା ବର୍ତ୍ତମାନ ୭୫ ପଇସାକୁ ବୃଦ୍ଧି ପାଇଛି । ଅନ୍ୟପଟେ ଡିଲକ୍ସ ବସ୍ ଭଡ଼ା ପ୍ରତି କିଲୋମିଟର କୁ ୧୦୧ ପଇସା ଥିବାବେଳେ ଏହା ବର୍ତ୍ତମାନ ୧୦୫ ପଇସାକୁ ବୃଦ୍ଧି କରାଯାଇଛି । ଏସି ଡିଲକ୍ସ ବସ୍ ର ପ୍ରତି କିଲୋମିଟରକୁ ୧୨୩ ପଇସା ଲାକୁଥିବାବେଳେ ଏହା ଏବେ ୧ ଟଙ୍କା ୨୭ ପଇସାକୁ ପହଁଚିଛି ।

ତେବେ ଏହି ୪ଟି ବର୍ଗର ବସ୍ ରେ ବଢ଼ିଥିବା ଭଡ଼ାକୁ ନେଇ ଏବେ ଜନତାଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଦେଖିବାକୁ ମିଳିଛି । ପୂର୍ବରୁ ଅହେତୁକ ଭାବେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ପାଉଥିବାବେଳେ ଏବେ ବସ ଭଡ଼ା ସାଧାରଣ ଯାତ୍ରୀଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଭଳି ପାହାର ପଡିଛି । ଡିଜେଲ୍‌ ଦର ପ୍ରତି ଦିନ ବୃଦ୍ଧି ଘଟୁଥିବାରୁ ବସ୍‌ ଭଡ଼ା ବଢ଼ାଯାଇଛି। ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।