ଅନ୍ଧାର ରାତିର ଲୋମହର୍ଷଣକାରୀ ବସ୍ ଦୁର୍ଘଟଣା । ଚାଲିଗଲା ୮ ଯାତ୍ରୀଙ୍କ ଜୀବନ, ୪୦ରୁ ଅଧିକ ଆହତ । ଯାତ୍ରୀ କହିଲେ ଦ୍ରୁତ ଗତିରେ ଗାଡି ଚଳାଉଥିଲେ ଡ୍ରାଇଭର ।

273

କନକ ବ୍ୟୁରୋ : ତପ୍ତପାଣି ଘାଟିରେ ଓଲଟି ପଡିଲା ଯାତ୍ରୀବାହୀ ବସ । ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ରାୟଗଡାରୁ ବ୍ରହ୍ମପୁର ଯାଉଥିବାବେଳେ ବସଟି ରାତି ପ୍ରାୟ ୩ଟା ବେଳେ ତପ୍ତପାଣି ଘାଟିରେ ତଳକୁ ଖସି ପଡିଥିଲା । ଆହତ ଯାତ୍ରୀଙ୍କ କହିବା ଅନୁସାରେ ଦ୍ରୁତ ବେଗରେ ଯାଉଥିବା ବସଟି ଭାରସାମ୍ୟ ହରାଇ ଏକ ପଥରକୁ ଧକ୍କା ଦେବା ସହ ସଂପୂର୍ଣ୍ଣ ଓଲଟି ପଡିଥିଲା । ଆହତଙ୍କୁ ଦିଗପହଣ୍ଡି ହସ୍ପିଟାଲ ଓ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ତପ୍ତପାଣୀ ଘାଟି ତଳକୁ ଓଲଟି ପଡିଛି ବସ୍ । ଛାତ ସଂପୂର୍ଣ୍ଣ ତଳକୁ ଥିବାବେଳେ ଉପରକୁ ରହିଛି ସମସ୍ତ ଚକ । ଏହି ଚିତ୍ର ହିଁ ବୟାନ କରୁଛି କେତେ ଭୟଙ୍କର ଥିଲା ଦୁର୍ଘଟଣା । ଥରେ ଭାବନ୍ତୁ କଣ ହୋଇଥିବ ବସରେ ଥିବା ଯାତ୍ରୀଙ୍କ ଅବସ୍ଥା । କେହି କିଛି ବୁଝିବା ଆଗରୁ ପ୍ରାୟ ୧୦ ଫୁଟ ତଳକୁ ଖସିପଡିଥିଲା ପାଖାପାଖି ୪୫ ଜଣ ଯାତ୍ରୀଙ୍କୁ ଧରି ଯାଉଥିବା ଶ୍ରୀସାଇ ବସ । ମଙ୍ଗଳବାର ରାତି ୧୦ଟାରେ ରାୟଗଡା କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ବାହାରିଥିଲା ବସ । ତପ୍ତପାଣୀ ଘାଟି ଉପରକୁ ଉଠିବା ପୂର୍ବରୁ ଏକ ଢାବାରେ ଅଟକି ଯାତ୍ରୀମାନେ ଚା ପିଇଥିଲେ ।

ଆଗକୁ ଉଠାଣି ଥିବାରୁ ଡ୍ରାଇଭର ବସର ବେଗ ବଢାଇଥିଲେ । ହେଲେ ଗଡିଲା ବେଳକୁ ବେଗ ଆହୁରି ଦ୍ରୁତ ହେବା ସହ ଭାରସାମ୍ୟ ହରାଇଥିଲା । ଅଚାକନ ରାସ୍ତା ଉପରେ ସାପ ଭଳି ଖେଳିଥିଲା ବସ୍ । ଭୟରେ ଚିତ୍କାର କରିଥିଲେ ବସରେ ଥିବା ଯାତ୍ରୀ । ବେଗ କମାଇବାକୁ ଡ୍ରାଇଭରଙ୍କୁ ପାଟିକରି କହିଥିଲେ । ହେଲେ ସତେ ଯେମିତି ବସ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ ଡ୍ରାଇଭର । ଖୁବଜୋରରେ ରାସ୍ତାକଡ ପଥରକୁ ଧକ୍କା ଦେବା ସହ ତଳକୁ ଖସିପଡିଥିଲା ବସଟି ।

ଅଧରାତିରେ ଘାଟିରୁ ଖସପଡିିଲା ବସ୍ । ସତେ ଯେମିତି ମୃତ୍ୟୁ ଜଗିଥିଲା ବାଟ । ଘଂଚ ଜଙ୍ଗଲ ସାଙ୍ଗକୁ ପାଣି । ବସଟି ସଂପୂର୍ଣ୍ଣ ଓଲଟି ପଡିଥିବାରୁ କେହି କାହାରିକୁ ସହାୟତା କରିବା ସମ୍ଭବ ନଥିଲା । ରାତି ଅଧରେ ହଠାତ୍ ଦୁର୍ଘଟଣାର ଖବର ବି କାହାରି ପାଖରେ ପହଁଚି ପାରିନଥିଲା । ପ୍ରଶାସନ ନିକଟରେ ଖବର ପହଁଚିଲା ବେଳକୁ ସକାଳ ହୋଇଯାଇଥିଲା ।

ତେବେ ପ୍ରଶ୍ନ ଉଠୁଛି, କାହିଁକି ଘଟିଲା ଦୁର୍ଘଟଣା ? ମଦ ପିଇଥିଲେ କି ଡ୍ରାଇଭର ? ଦ୍ରୁତ ବେଗ ହେଲା କି କାଳ ? ନା ଡ୍ରାଇଭରଙ୍କୁ ଲାଗୁଥିଲା ନିଦ ?

ମର୍ମନ୍ତୁଦ ସଡକ ଦୁର୍ଘଟଣା ପରେ ଏଭଳି କିଛି ପ୍ରଶ୍ନ ଉଠୁଛି । ଦୁର୍ଘଟଣା ପରେ ଡ୍ରାଇଭର, ହେଲପର ଓ କଣ୍ଡକ୍ଟରଙ୍କ ପତା ମିଳୁନି । ତେବେ ଦୁର୍ଘଟଣା ସ୍ଥଳରେ ସାନଖେମୁଣ୍ଡି, ଦିଗପହଣ୍ଡି, ବ୍ରହ୍ମପୁର, ମୋହନା ଓ ସେରଗଡ ଦମକଳ ବାହିନୀର ୫ଟି ଟିମର ପ୍ରାୟ ୫୦ ଜଣ ସଦସ୍ୟ ପହଞ୍ଚିଥିଲେ । ଜଣେ ପରେ ଜଣେ ଯାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ଅଣାଯାଉଥିବାବେଳେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ । ଦୁର୍ଘଟଣାରେ ୨ ପୁରୁଷ ଓ ୬ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।