ଅଧା ରହିଲା ପିକନିକ୍ ! ପାହାଡରୁ ୫୦୦ ଫୁଟ୍ ତଳକୁ ଖସିପଡିଲା ବସ୍, ଚାଲିଗଲା ୩୩ ଛାତ୍ରଛାତ୍ରୀଙ୍କ ଜୀବନ ।

34

ଆନନ୍ଦ ପାଲଟିଲା ଅବସାଦ । ଖୁସିରେ ପିକନିକ କରିବାକୁ ଯାଉଥିଲେ ଛାତ୍ରଛାତ୍ରୀ, କିନ୍ତୁ ଯିବା ରାସ୍ତାରେ ହିଁ ଘଟିଗଲା ଅଘଟଣ । ଅଚାନକ ମୃତ୍ୟୁ ଆସି ଟାଣିନେଲା ହାତ। ଅଧା ରହିଗଲା ପିକନିକ୍ । ଏପରି ହୃଦୟ ବିଦାରକ ଘଟଣା ଘଟିଛି ମହାରାଷ୍ଟ୍ରର ପ୍ରସିଦ୍ଧ ପର୍ୟ୍ୟଟନସ୍ଥଳୀ ମହାବଳେଶ୍ୱର ନିକଟରେ । ଶନିବାର ସକାଳେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୩୩ ଛାତ୍ରଛାତ୍ରୀ । ମହାରାଷ୍ଟ୍ରର ଡାପୋଲିସ୍ଥିତ ଏକ କୃଷି ବିଶ୍ୱବିଦ୍ୟାଳୟର ଛାତ୍ର ଓ କର୍ମଚାରୀଙ୍କୁ ନେଇ ଯାଉଥିବା ବସଟି ୫୦୦ ମିଟର ଗଭୀର ଖାତ ଭିତରକୁ ଖସିପଡ଼ିବା ଫଳରେ ବସରେ ଥିବା ସମସ୍ତେ ମୃତ୍ୟୁମୁଖରେ ପଡ଼ିଥିବା ପ୍ରାଥମିକ ସୂଚନା ମିଳିଛି । ଛୁଟିରେ ପିକନିକ୍ କରିବାକୁ ମହାବଳେଶ୍ୱର ଯାଉଥିବା ବେଳେ ବିଶ୍ୱବିଦ୍ୟାଳୟର ୩୪ଜଣ ଛାତ୍ର ଦୁର୍ଘଟଣାର ଶିକାର ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ସୁଚନା ଅନୁଯାୟୀ, ବସଟି ଅମ୍ବେନାଲି ଘାଟ ଦେଇ ପାହଡ଼ି ରାସ୍ତାରେ ଯାଉଥିବା ବେଳେ ବସଟି ନିୟନ୍ତ୍ରଣ ହରାଇ ତଳକୁ ଖସିପଡ଼ିଥିଲା ।

ମିଳିଥିବା ସୂଚନା ଅନୁସାରେ, ଶନିବାର ଡାପୋଲିସ୍ଥିତ ବାଲାସାହେବ ସାଓ୍ଵନ୍ତ କୋଙ୍କନ୍ କୃଷି ବିଦ୍ୟାପୀଠର ଛାତ୍ରଛାତ୍ରୀ ଓ ଅଧ୍ୟାପକ ପିକନିକ୍ କରିବା ଲାଗି ମହାବଳେଶ୍ୱର ଯାଉଥିଲେ । ଗନ୍ତବ୍ୟକୁ ଯିବା ରାସ୍ତାରେ ଅମ୍ବେନାଲି ଘାଟିରେ ଯାଉଥିବା ସମୟରେ ହଠାତ୍ ବସଟିର ଚକା ସ୍ଲିପ୍ ହୋଇ ଯାଇଥିଲା । ଫଳରେ ପ୍ରାୟ ୫୦୦ଫୁଟ ତଳକୁ ବସଟି ଖସି ପଡ଼ିଥିଲା । ଏହି ଦୁର୍ଘଟଣା ଏତେ ଭୟାବହ ଥିଲା କି ଘଟଣାସ୍ଥଳରେ ୩୩ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି । ତେବେ ଖବର ପାଇବା ମାତ୍ରେ ଘଟଣାସ୍ଥଳକୁ ଉଦ୍ଧାର ଲାଗି ଏନଡିଆରଏଫର ଏକ ଟିମ୍ ଯାଇଛି ।

ରାୟଗଡ଼ ଜିଲ୍ଲା ଜିଲ୍ଲାପାଳ ବିଜୟ ସୂର୍ୟ୍ୟବଂଶୀ ଘଟଣାର ବିଷୟରେ କହିଛନ୍ତି, ଅମ୍ବେନାଲି ଘାଟିର ପୋଲଡପୁରରେ ବସ୍ ପାହାଡ଼ ତଳକୁ ଖସି ପଡ଼ିବା ହେତୁ ବସରେ ଥିବା ୩୪ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ରିପୋର୍ଟ ଅନୁସାରେ, ସକାଳୁ ବାଲାସାହେବ ସାଓ୍ଵନ୍ତ କୋଙ୍କନ୍ କୃଷି ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ମହାବଳେଶ୍ୱର ବାହାରିଥିଲେ । ସକାଳ ପ୍ରାୟ ୧୦ଟା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ବସ୍ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ବସଟି ବହୁ ଗଡ଼ା ଦେଇ ପଥରରେ ମାଡ଼ ହୋଇ ଗହ୍ଵର ଭିତରେ ଯାଇ ପଡ଼ିଥିଲା । ଯେଉଁ କାରଣରୁ ଏଥିରେ ଥିବା ଅଧିକାଂଶ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଘନ କୁହୁଡି ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଟୁଇଟର ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି ।