ଡରାଇଲା ଡିଜେଲ ଦର। ରାଜ୍ୟରେ ବଢ଼ିଲା ବସ୍ ଭଡ଼ା, ଜାଣନ୍ତୁ କିଲୋମିଟର ପ୍ରତି କେଉଁ ବସରେ କେତେ ପଇସା ବଢ଼ିଲା ।

345

କନକ ବ୍ୟୁରୋ: ବଢ଼ିଲା ବସ୍ ଭଡ଼ା । ଅହେତୁକ ଡିଜେଲ୍ ଦରରେ ବୃଦ୍ଧି ଯୋଗୁଁ ବସ୍ ଭଡ଼ା ମଧ୍ୟ ବୃଦ୍ଧି କଲେ ରାଜ୍ୟ ସରକାର । ଏହି ଆଧାରରେ ସାଧାରଣ, ଏକ୍ସପ୍ରେସ ବସ୍ ଭଡ଼ା ପ୍ରତି କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି । ସେହିଭଳି ଡିଲକ୍ସ, ଏସି ଡିଲକ୍ସ ବସର ପ୍ରତି କିଲୋମିଟର ପିଛା ୨ ପଇସାକୁ ବୃଦ୍ଧି କରାଯାଇଛି । ଡିଜେଲ ଦର ବୃଦ୍ଧି ପାଇବାରୁ ଅଟୋମେକାନିଜିମ୍ ଜରିଆରେ ବସ୍ ଭଡ଼ା ବୃଦ୍ଧି କରାଯାଇଥିବା ସୂଚନା ମିଳିଛି ।

ପୂର୍ବରୁ ସାଧାରଣ ବସ୍ ଭଡ଼ା ପ୍ରତି କିଲୋମିଟର ପିଛା ୬୮ ପଇସାଥିଲା ଯାହା ବର୍ତ୍ତମାନ ୬୯ ପଇସାକୁ ବୃଦ୍ଧି ପାଇଛି । ସେହିଭଳି ଏକ୍ସପ୍ରେସ ବସ୍ ଭଡ଼ା ପ୍ରତି କିଲୋମିଟର ପିଛା ୭୧ ପଇସା ଥିବାବେଳେ ତାହା ବର୍ତ୍ତମାନ ୭୨ ପଇସାକୁ ବୃଦ୍ଧି ପାଇଛି । ଅନ୍ୟପଟେ ଡିଲକ୍ସ ବସ୍ ଭଡ଼ା ପ୍ରତି କିଲୋମିଟରକୁ ୯୭ ପଇସା ଥିବାବେଳେ ଏହା ବର୍ତ୍ତମାନ ୯୯ ପଇସାକୁ ବୃଦ୍ଧି କରାଯାଇଛି । ଏସି ଡିଲକ୍ସ ବସ୍ ର ପ୍ରତି କିଲୋମିଟରକୁ ୧ଟଙ୍କା ୧୯ ପଇସା ଲାଗୁ ଥିବାବେଳେ ଏହା ଏବେ ୧ଟଙ୍କା ୨୧ ପଇସାକୁ ପହଁଚିଛି ।

ତେବେ ଏହି ୪ଟି ବର୍ଗର ବସ୍ ରେ ବଢ଼ିଥିବା ଭଡ଼ାକୁ ନେଇ ଏବେ ଜନତାଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ଦେଖିବାକୁ ମିଳିଛି । ପୂର୍ବରୁ ଅହେତୁକ ଭାବେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ପାଉଥିବାବେଳେ ଏବେ ବସ ଭଡ଼ା ସାଧାରଣ ଯାତ୍ରୀଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଭଳି ପାହାର ପଡିଛି । ଡିଜେଲ୍ ଦର ପ୍ରତି ଦିନ ବୃଦ୍ଧି ଘଟୁଥିବାରୁ ବସ୍ ଭଡ଼ା ବଢ଼ାଯାଇଛି । ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିବ। ଏହାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।