ନୂଆ ଟ୍ରାଫିକ ନିୟମ କାହା ପାଇଁ ? ବାଇକ୍ ଚାଳକଙ୍କୁ ମୋଟା ଅଙ୍କର ଜରିମାନା, ବସ ଚାଳକଙ୍କୁ ମାଫ୍ । କନକ ନ୍ୟୁଜର ଗ୍ରାଉଣ୍ଡ ରିପୋର୍ଟ ।

1,096

କନକ ବ୍ୟୁରୋ : ନୂଆ ଟ୍ରାଫିକ ନିୟମ କାହା ପାଇଁ? ଏହା କଣ କେବଳ ବାଇକ ଓ ଛୋଟ ଗାଡି ପାଇଁ । ଏଭଳି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ, ଯେଉଁଠି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବାଇକ ଓ ଛୋଟ ଗାଡି ଚାଳକଙ୍କୁ ହଜାର ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡୁଛି । ସେଠାରେ ବଡ ବଡ ଗାଡି ଯେପରିକି ଯାତ୍ରୀବାହୀ ବସ ଗୁଡିକ ଟ୍ରାଫିକ ନିୟମର ଖୋଲା ଖୋଲି ଉଲ୍ଲଂଘନ କଲେ ମଧ୍ୟ କାହା ନଜରରେ ଯେମିତି ପଡୁନି । ରାଜଧାନୀର ରାଜରାସ୍ତାରେ ଦିନ ଦ୍ୱିପ୍ରହରରେ ଘରୋଇ ଓ ସରକାରୀ ବସ୍ ଗୁଡିକ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରୁଥିଲେ ମଧ୍ୟ ଏମାନଙ୍କୁ ଧରିବା ପାଇଁ ଯେମିତି ସାହସ ଜୁଟାଇ ପାରୁନି ପରିବହନ ବିଭାଗ । ଆଉ ଏସବୁ ଭିତରେ ଗ୍ରାଉଣ୍ଡ ଜିରୋରୁ ଏହାର ସ୍ଥିତି ପରଖିଥିଲା କନକ ନ୍ୟୁଜ୍ । ଭୁବନେଶ୍ୱରରୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଉଥିବା ବସରେ ଆମ ପ୍ରତିନିଧି ଯାତ୍ରା କରିବା ସହ ସାମ୍ନାକୁ ଆଣିଛନ୍ତି ବସ ଯାତ୍ରାର ବାସ୍ତବ ଚିତ୍ର ।
ମୋ ବସ୍ ହେଉ ବା ଘରୋଇ ବସ୍ । ପ୍ରତି ବସରେ ଖଚାଖଚ ଭିଡ । ସିଟ୍ ଠାରୁ ଅଧିକ ଲୋକ ବସ୍ ଭିତରେ । ବସ୍ ଭିତରେ ଗୋଟିଏ ପାଦ ଆଗକୁ ପକାଇବାକୁ ବି ଜାଗା ନାହିଁ । ଆଉ ଏହାସତ୍ତେ୍ୱ ମଧ୍ୟ ଅଧିକ ଯାତ୍ରୀ ଉଠାଇବା ଆଶାରେ ମଝି ରାସ୍ତାରେ ଅଟକୁଛି ବସ୍ । ବେଫିକର ଭାବେ ଗୋଟିଏ ପରେ ଗୋଟିଏ ଷ୍ଟପେଜରୁ ଯାତ୍ରୀ ଉଠାଉଛନ୍ତି ବସ୍ କର୍ମଚାରୀ । ଏହି ଦୃଶ୍ୟ ଗୋଟିଏ କିମ୍ବା ଦୁଇଟି ବସର ନୁହେଁ । ବରଂ ରାଜଧାନୀରୁ ବାହାରୁଥିବା ଅଧିକାଂଶ ବସ ଏପରିକି ସରକାରୀ ବସରେ ମଧ୍ୟ ସମାନ ଅବସ୍ଥା । ଏହି ବସକ ଗୁଡିକ ବସିବା କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଟ୍ରାଫିକ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି । ଆଉ କିଛି ଲାଭ ପାଇବା ଆଶାରେ ଏଭଳି କରି ଯାତ୍ରୀଙ୍କ ଜୀବନକୁ ବିପଦକୁ ଠେଲି ଦେଉଛନ୍ତି ବସ୍ ଚାଳକ ମାନେ । କିନ୍ତୁ ସବୁ ଜାଣିଶୁଣି ମଧ୍ୟ ପରିବହନ ବିଭାଗର ଅଧିକାରୀ ସତେ ଯେମିତି ଆଖିରେ ଆଙ୍ଗୁଳି ଗେଞ୍ଜି ବସିଛନ୍ତି ।

କେବଳ ଯେ ବସ୍ ଗୁଡିକରେ ଧାର୍ଯ୍ୟ କ୍ଷମତାରୁ ଅଧିକ ଯାତ୍ରୀ ଯାଉଛନ୍ତି ତାହା ନୁହେଁ ବରଂ ଅଟୋ ଗୁଡିକରେ ମଧ୍ୟ ମନଇଚ୍ଛା ଯାତ୍ରୀ ଉଠାଯାଉଛି । ବସିବା କ୍ଷମତା ଠାରୁ ଅଧିକ ଯାତ୍ରୀ ନେଲେ ନୂଆ ନିୟମ ଅନୁଯାୟୀ, ପ୍ରତି ଯାତ୍ରୀ ପିଛା ୧୦୦୦ ଟଙ୍କା ଜରିମାନା ଆଦାୟ କରିବାର ନିୟମ ଥିଲେ ମଧ୍ୟ ଏହି ଆଇନକୁ ଭୃକ୍ଷେପ କରୁନାହାନ୍ତି ଗାଡି ଚାଳକ ।