କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା କଳିଙ୍ଗା ଘାଟିରେ ଆଜି ସନ୍ଧ୍ୟା ପ୍ରାୟ ୭.୩୦ରେ ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲା ଗୋବିନ୍ଦପୁର ଗାଁରୁ ଆସିଥିବା ଏକ ପର୍ଯ୍ୟଟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥିରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଗୁରୁତର ମାନଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକଲକୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ଖବର ପାଇ ଘଟଣାସ୍ଥଳରେ ୧୦୮ଆମ୍ବୁଲାନ୍ସ ଏବଂ ଦମକଳବାହିନୀର ଗାଡ଼ି ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ତେବେ ପଶ୍ଚିମବଙ୍ଗର ଗୋବିନ୍ଦପୁରରୁ ୬୦ଜଣ ପର୍ଯ୍ୟଟକଙ୍କୁ ଧରି ଏକ ବସ୍ ଦାରିଙ୍ଗବାଡ଼ି ଆସିଥିବା ବେଳେ ସନ୍ଧ୍ୟାରେ ବଣଭୋଜି ସାରି ଗୋପାଳପୁର ଅଭିମୁଖେ ବାହାରି ଥିଲେ। ଆଜି ରାତି ଗୋପାଳପୁରରେ ରହି ଡିସେମ୍ବର ୧୭ ତାରିଖ ପୁରୀ ଅଭିମୁଖେ ବାହାରିବାର ଯୋଜନା ପ୍ରସ୍ତୁତ କରିଥିଲେ। ବସଟି ୬ କିମି କଳିଙ୍ଗାଘାଟି ଅତିକ୍ରମ କରି ସାରିବା ପରେ ଅନ୍ଧାରକୋଟ ବୁଲାଣି ନିକଟରେ ବ୍ରେକ୍‌ ଫେଲ ହୋଇଯିବାରୁ ଗାର୍ଡଓ୍ବାଲକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ବସରେ ବସିଥିବା ଯାତ୍ରୀ ଭିତରେ ରହିଯାଇଥିଲେ। ଏହି ସମୟରେ ଟିକାବାଲିରୁ ଭଞ୍ଜନଗର ଯାଉଥିବା ଏକ କାର ଯାତ୍ରୀ ଓହ୍ଲାଇ ଆଗପଟୁ କାଚ ଭାଙ୍ଗି ଯାତ୍ରୀଙ୍କୁ ଉଦ୍ଧାର କରିଥିବା ସହ ଆମ୍ବୁଲାନ୍ସ ଓ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ।