କଳିଙ୍ଗା ଘାଟିରେ ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ: ସୁରତରୁ ପ୍ରବାସୀ ଓଡିଆଙ୍କୁ ନେଇ ଫେରୁଥିବା ବେଳେ ଦୁର୍ଘଟଣା; ୫ ଯାତ୍ରୀ ଆହତ ହୋଇଥିବା ସୂଚନା

7,043

କନକ ବ୍ୟୁରୋ: ପୁଣି ଦୁଃଖଦ ଓ ଅଭାବନୀୟ ଘଟଣା । କନ୍ଧମାଳ ବାଲିଗୁଡ଼ା କଳିଙ୍ଗାଘାଟିରେ ପୁଣି ଏକ ବସ ଦୁର୍ଘଟଣାଗ୍ରସ୍ତ । ଗୁଜୁରାଟର ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଅମ୍ବିକା ନାମକ ଏକ ବସ୍ ଗଞ୍ଜାମ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି । ତେବେ ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆହତ ହୋଇଥିବା ଶ୍ରମିକଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ବସରେ ମୋଟ୍ ୫୭ଜଣ ଯାତ୍ରୀ ଥିଲେ ଯେଉଁମାନଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି। ତେବେ ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ଖବର ପାଇ ଜି.ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ବନ୍ଦୋବସ୍ତ କରିଥିବା ଜଣାଯାଇଛି।

ସେପଟେ, ଗଞ୍ଜାମ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ । ମହାରାଷ୍ଟ୍ର ନାଗପୁର ଅମରବତୀର ଜାତୀୟ ରାଜପଥରେ ଓଲଟିଲା ବସ୍ । ବସରେ ସୁରତରୁ ଗଞ୍ଜାମ ଫେରୁଥିଲେ ପ୍ରବାସୀ ଓଡ଼ିଆ । ଗତକାଲି ରାତିରେ କଳିଙ୍ଗା ଘାଟିରେ ସୁରତରୁ ଫେରୁଥିବା ପ୍ରବାସୀ ଓଡିଆଙ୍କ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏଠାରେ ଆମେ କହି ରଖୁଛୁ ଯେ, ଗତକାଲି ରାତିରେ କଳିଙ୍ଗା ଘାଟିରେ ସୁରତରୁ ଫେରୁଥିବା ପ୍ରବାସୀ ଓଡିଆଙ୍କ ବସ ଦୁର୍ଘଟଣାଗ୍ରସ୍ତ ହୋଇ ୨ ଯାତ୍ରୀଙ୍କ ଜୀବନ ଯାଇଥିବାବେଳେ ଜଣେ ଆହତ ହୋଇଥଲେ । ଆହତଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବସ୍ରେ ଥିବା ପ୍ରାୟ ୬୪ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ବସରେ ଥିବା ଯାତ୍ରୀମାନଙ୍କୁ ପୁଲିସ ଓ ଦମକଳବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି ଏବଂ ସୁରକ୍ଷିତ ଥିବା ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି । ଘାଟିରେ ଥିବା ଗାର୍ଡୱାଲକୁ ଧକା ଦେବାରୁ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି ।

ତାଲାବନ୍ଦ ଯୋଗୁଁ ସୁରତରେ ଅଟକି ରହିଥିବା ପ୍ରବାସୀ ଓଡିଆମାନେ ବସ ଯୋଗେ ନିଜ ନିଜର ଗାଁକୁ ଫେରୁଥିଲେ । ବସଟି ଗନ୍ତବ୍ୟ ସ୍ଥଳରେ ପହଁଚିଥିଲେ ସେମାନେ ସରକାରଙ୍କ ନିର୍ଧାରିତ କ୍ୱାରେଂଟିନ ସେଂଟରରେ ୧୪ ଦିନ ପର୍ଯ୍ୟନ୍ତ ରହିଥାନ୍ତେ । ହେଲେ, ନିଜ ନିଜ ଅଂଚଳରେ ପହଁଚିବା ପୂର୍ବରୁ ଏଭଳି ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଖବର ଆସିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।