ମୃତ୍ୟୁର ତାର ଫିଙ୍ଗି ଜୀବନ ନେଇଗଲା ଯମ । ଅଧା ବାଟରେ ଅଟକିଗଲା ନୂଆ ସମ୍ପର୍କର ସ୍ୱପ୍ନ । ନିର୍ବନ୍ଧ ପାଇଁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ନଅ ଜୀବନ…

798

କନକ ବ୍ୟୁରୋ: ବସ ଭିତରେ ମୃତ୍ୟୁ, ବସ ବାହାରେ ମୃତ୍ୟୁର ପଦଚିହ୍ନ । ଜୀବନ ନେଇ ଯିବା ପରେ ମୃତ୍ୟୁର ପଞ୍ଝାରୁ ଅଳ୍ପକେ ମୁକୁଳି ଯାଇଥିବା ଜୀବନମାନଙ୍କ ଛାତିଥରା ଚିକ୍ରାରରେ ଫାଟି ପଡୁଛି ପୂରା ପରିବେଶ । ବିଦ୍ୟୁତର ନିଆଁରେ ଜଳି ପୋଡି ଛାରଖାର ହୋଇଥିବା ମୃତଦେହର ଭୟଙ୍କର ଚିତ୍ର ଏତେ ଲୋମଟାଙ୍କୁରା ଯେ ଯାହାକୁ ଖାଲି ଆଖିରେ ଦେଖିବା ଅସମ୍ଭବ । କାହାର ପୂରା ଶରୀର ପୋଡି ଯାଇଛି, ତ ଆଉ କାହାର ଦେହହାତରୁ ପୋଡି ଯାଉଥିବାର ଧୂଆଁ ବାହାରୁଛି । ଦୁର୍ଘଟଣା ପରର ଏ କରୁଣ ଚିତ୍ର ଦେଖଣାହାରୀଙ୍କୁ ସ୍ତବ୍ଧ କରିଛି…

ଆଉ ମାତ୍ର କିଛି କ୍ଷଣ ପରେ ନୂଆ ଏକ ସମ୍ପର୍କ ପାଇଁ ହୋଇଥାନ୍ତା ନିର୍ବନ୍ଧ । ଦୁଇ ପରିବାର ଭିତରେ ଗଢା ହୋଇଥାନ୍ତା ନୂଆ ଏକ ବନ୍ଧୁତ୍ୱ । ସେଥିପାଇଁ ସମସ୍ତେ ହସଖୁସିରେ ଗୋଟିଏ ବସରେ ବାହାରିଥିଲେ କନ୍ୟାଘରକୁ । ବ୍ରହ୍ମପୁର ଡଙ୍ଗଲପାଡୁରୁ ପୁଅଘର, କନ୍ୟାଘର ଚିକରଡାକୁ ଯାତ୍ରା ଆରମ୍ଭ କରିଥିଲେ । ହେଲେ ହଠାତ ଅଧା ବାଟରେ ଉପରୁ ଖସିଲା ମୃତ୍ୟୁ । ରାସ୍ତା ମଝିରେ ଜଗି ବସିଥିବା ଯମ ସମସ୍ତଙ୍କ ମୁହଁରୁ ହସ ଛଡାଇନେଲା । ବାଟ ମଝିରେ ଓହଳିଥିବା ବିଦ୍ୟୁତ ତାର ୯ ଜଣଙ୍କ ଜୀବନ ନେଇଗଲା ।

ଦୁର୍ଘଟଣାରେ ବରର ଦୁଇ ଭଉଣୀ ଏବଂ ଭଣଜା ଆଖି ବୁଜିଥିବା ବେଳେ ବାଟ ମଝିର ବିଦ୍ୟୁତ ଝଟକା ସମସ୍ତଙ୍କୁ ବାକଶୂନ୍ୟ କରିଛି । ସେପଟେ ଦୁର୍ଘଟଣା ପରେ ବସ ଭିତରର ବିକ୍ଷିପ୍ତ ଚିତ୍ର ସମସ୍ତଙ୍କ ଛାତିକୁ ଭାରି ଭାରି କରିଛି । ନିର୍ବନ୍ଧ ପାଇଁ ନେଇ ଯାଉଥିବା କଦଳୀ ଥାଳିରେ ସେମିତି ଥୁଆ ହୋଇଛି । ଗୋଟା ଗୋଟା ନଡିଆ ଏତେତେଣେ ଗଡୁଛି ଆଉ ସମ୍ପର୍କର ମିଠା ମୁହଁମାଡି ପଡିଛି । କନ୍ୟା ପାଇଁ ନେଇ ଯାଉଥିବା ଶାଢି ବି ପୋଡି ଯାଇଛି ।

ସେପଟେ ବର ଘରକୁ ଅପେକ୍ଷା କରିଥିବା କନ୍ୟାପକ୍ଷଙ୍କୁ ଅପ୍ରତ୍ୟାଶିତ ଖବର ଅସ୍ତବ୍ୟସ୍ତ କରିଛି । ନିର୍ବନ୍ଧ ପାଇଁ ଚାହିଁ ବସିଥିବା ଝିଅ ଆଖିରୁ ଲୁହ ନିଗାଡୁଛି ଆଉ ପରିବାର ଲୋକ ନିର୍ବାକ ହୋଇଛନ୍ତି । ତେବେ ଦୁର୍ଘଟଣାରେ ଆଖିବୁଜିଥିବା ଡଙ୍ଗଲପାଡୁ ଗାଁ ଲୋକଙ୍କ ଶେଷରେ ଶ୍ମଶାନରେ ଏକାଠି ଜୁଇ ଜଳିଛି …