କନକ ବ୍ୟୁରୋ : କର୍ଣ୍ଣାଟକରେ ହିଜାବ ବା ବୁର୍ଖା ବିବାଦ ଟିକେ ଶାନ୍ତ ହୋଇ ଆସୁଥିବା ବେଳେ ଏବେ ତେଲେଙ୍ଗାନାରେ ଦେଖିବାକୁ ମିଳିଛି ବୁର୍ଖା ବିବାଦ । ହାଇଦ୍ରାବାଦର ଏକ କଲେଜକୁ କିଛି ଛାତ୍ରୀ ବୁର୍ଖା ପିନ୍ଧି ଆସିଥିବାରୁ ତାଙ୍କୁ କଲେଜ ଗେଟ ନିକଟରେ ଅଟକାଇ ଦିଆଯାଇଥିଲା । ଛାତ୍ରୀମାନେ ଅଭିଯୋଗ କରିଛନ୍ତି କି ସେମାନେ ବୁର୍ଖା ପିନ୍ଧି ଆସିଥିବାରୁ ସେମାନଙ୍କୁ କଲେଜ ଗେଟ୍ ନିକଟରେ ୩୦ ମିନିଟରୁ ଅଧିକ ସମୟ ଅଟକ ରଖାଯାଇଥିଲା । ଏହାପରେ ଛାତ୍ରୀମାନେ ବୁର୍ଖା ଖୋଲିବା ପରେ ସେମାନଙ୍କୁ ପରୀକ୍ଷା ହଲକୁ ଯିବାକୁ ଅନୁମତି ମିଳିଥିଲା ।

Advertisment

ଏଏନଆଇର ରିପୋର୍ଟ ମୁତାବକ ଜୁନ ୧୬ ତାରିଖରେ ହାଇଦ୍ରାବାଦର କେବି ରଙ୍ଗାରେଡ୍ଡୀ ମହିଳା ଡିଗ୍ରୀ କଲେଜର କିଛି ଛାତ୍ରୀ ବୁର୍ଖା ପିନ୍ଧି ପରୀକ୍ଷା ଦେବାକୁ ଆସିଥିଲେ । ହେଲେ କଲେଜ ଷ୍ଟାଫ ସେମାନଙ୍କୁ ପରୀକ୍ଷା ହଲକୁ ଯିବାକୁ ଅନୁମତି ଦେଇ ନଥିଲେ । ଏହାପରେ ଛାତ୍ରୀମାନଙ୍କୁ କଲେଜ ପ୍ରଶାସନ ତରଫରୁ ବୁର୍ଖା ଖୋଲିବାକୁ ବାଧ୍ୟ କରାଯାଇଥିଲା ।

ଏହି ମାମଲାରେ ତେଲେଙ୍ଗାନା ଗୃହମନ୍ତ୍ରୀ ମହବୁବ୍ ଅଲ୍ଲୀ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କି, ଦେଶରେ ସମସ୍ତଙ୍କୁ ନିଜ ନିଜ ପସନ୍ଦର କପଡା ପିନ୍ଧିବାକୁ ସ୍ୱାଧୀନତା ମିଳିଛି । ହେଲେ ମହିଳାମାନେ ଛୋଟ କପଡା ପିନ୍ଧିବା ଉଚିତ୍ ନୁହେଁ । ଏହାସହ ସେ ଏହି ଘଟଣା ପାଇଁ କଲେଜ ପ୍ରଶାସନକୁ ଦାୟୀ କରିଛନ୍ତି । ସେ କହିଛନ୍ତି କି ରାଜ୍ୟରେ ସେକୁଲାର ପଲିସି ଠିକ୍ ଭାବେ କାର୍ଯ୍ୟ କରୁଛି । ତେଣୁ କିଏ କଣ ପିନ୍ଧିଲା ତା ଉପରେ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ ।