କନକ ବ୍ୟୁରୋ: ବାତ୍ୟା, ସୁନାମି ଭଳି ମହାବିପତ୍ତି ସମୟରେ ଉପକୂଳର ରକ୍ଷା କବଚ ସାଜିଥିବା ହେନ୍ତାଳବଣ । ଉପକୂଳକୁ ସୁରକ୍ଷା ଦେଉଥିବା ହେନ୍ତାଳ ବଣ ଆଜି ନିଜେ ଅସୁରକ୍ଷିତ । ଓଡିଶା ଉପକୂଳରେ ୨୫୯ କି.ମି. ହେନ୍ତାଳବଣ ରହିଛି । ସେଥିମଧ୍ୟରୁ ୮୦ ଭାଗ ପାରାଦୀପ ସମୁଦ୍ର ଉପକୂଳ ଦେଇ ଜମ୍ବୁ, ସାତଭାୟା, ଭିତରକନିକା, ଚାନ୍ଦବାଲି ପର୍ଯ୍ୟନ୍ତ ଲମ୍ବିଛି । ସମୁଦ୍ର ଓ ନଦୀର ଦୂଷିତ ପାଣି, ପ୍ଲାଷ୍ଟିକ ବ୍ୟବହାର ଓ ଶିଳ୍ପ ସମ୍ପ୍ରସାରଣ ଆଳରେ ଉଜୁଡି ଯାଉଛି ପ୍ରକୃତିର ଏହି ଅନନ୍ୟ ବରଦାନ ।

Advertisment

ହରକଂଚ, କାଳିଆଚୁନା, ବନି, ପିତାକେରୁଆଁ, ଗୁଆଁ, ସିଙ୍ଗାଳବନି, ରାଇ, ହରସି ସୁନ୍ଦରୀ ଭଳି ୩୦ ପ୍ରକାର ଗଛଲତାର ସମାହାରରେ ହେନ୍ତାଳବଣର ସୃଷ୍ଟି । ସାମୁଦ୍ରିକ ଝଡ ପ୍ରଥମେ ଏହି ବଣରେ ମାଡ ହୋଇ ତାର ପ୍ରକୋପ କମାଇଥାଏ । ତେଣୁ ଏହାକୁ ଉପକୂଳର ରକ୍ଷା କବଚ କୁହାଯାଏ । କିନ୍ତୁ ପ୍ଲାଷ୍ଟିକ ବ୍ୟବହାର ଏବେ ହେନ୍ତାଳବଣର କ୍ଷତି କରିବାକୁ ବସିଛି । ପାରାଦୀପର କିଛି ଯୁବ ପିଢି ଏକତ୍ରିତ ହୋଇ ଏହି ବଣର ସୁରକ୍ଷା ପାଇଁ ପ୍ରୟାସ କରୁଛନ୍ତି । ହେନ୍ତାଳବଣକୁ ପ୍ଲାଷ୍ଟିକ ମୁକ୍ତ କରିବା, ଭାଙ୍ଗିପଡିଥିବା ଗଛ ଲତାକୁ ପୁଣି ଥରେ ଲଗାଉଛନ୍ତି ଆହ୍ୱାନ କମ୍ବାଇନ୍ସ୍ର ସଦସ୍ୟମାନେ ।

ବାସ୍ତବିକ ଏହି ସଂଗଠନ ସହ ପ୍ରଶାସନ ହାତ ମିଳାଇ ହେନ୍ତାଳବଣକୁ ସୁରକ୍ଷା ଯୋଗାଇବା ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଲୋକ ଦାବି କରିଛନ୍ତି ।