କନକ ବ୍ୟୁରୋ : ବୁର୍ଲା ଭିସୁଟର ୪୦ରୁ ଅଧିକ ଛାତ୍ରଛାତ୍ରୀ ଆଂଟିଜେନ ଟେଷ୍ଟରେ କରୋନା ପଜିଟିଭ ଚିହ୍ନଟ ହେବା । ଏବଂ ପରେ ସାମନ ଛାତ୍ରଛାତ୍ରୀଙ୍କ ରିପୋର୍ଟ ଆରଟିପିସିଆର ଟେଷ୍ଟରେ ନେଗେଟିଭ ଆସିବାରୁ କିଟ୍ ଯୋଗାଇଥିବା କମ୍ପାନିକୁ କାରଣଦର୍ଶାଅ ନୋଟିସ କରାଯାଇଥିଲା । ଏବେ କିଟ ଯୋଗାଣକାରୀ କମ୍ପାନି ଓସ୍କାର ମେଡିସିନ ପ୍ରାଇଭେଟ୍ ତାର କିଟକୁ ନେଇ ସଫେଇ ରଖିଛି । 

Advertisment

ନୂଆଦିଲ୍ଲୀର ଏହି କମ୍ପାନି, ବୁର୍ଲା ଭିମାସର କର୍ତୃପକ୍ଷଙ୍କୁ ତଥ୍ୟ ପ୍ରମାଣ ଆଧାରରେ ତାର କିଟରେ କୌଣସି ତ୍ରୁଟି ନଥିବା ଦାବି କରିଛି । ଏପରିକି ଭିମସାର କୋଭିଡ ନୋଡାଲ ଅଧିକାରୀ ତଥା ପୁଲ୍ମୋନାରୀ ମେଡିସିନ ବିଭାଗର ଆସୋସିଏଟ ପ୍ରଫେସର ଡାକ୍ତର ସୁଦର୍ଶନ ପୋଥାଳଙ୍କୁ ଲାଇଭ ଡେମୋ ଦେଖାଇଥିବା କହିଛି । ଡେମୋ ବେଳେ କମ୍ପାନି ପ୍ରସ୍ତୁତ ଆଟିଜେନ୍ କିଟ୍ ଓ ଆରଟିପିସିଆର କିଟରେ ପରୀକ୍ଷା ରିପୋର୍ଟ ସମାନ ଆସିଥିବା ଦାବି କରିଛି । ଅର୍ଥାତ କମ୍ପାନିର ଯେଉଁ ଆଂଟିଜେନ୍ କିଟରେ ତ୍ରୁଟିଥିବା କୁହାଯାଉଥିଲା, ତାହା ସଂପୂର୍ଣ୍ଣ ଠିକ ଥିବା ଦାବି କରିଛି । 

ଏପଟେ ଟିକା ନେବାପରେ ମଧ୍ୟ ରାଉରକେଲାର ଜଣେ ଡାକ୍ତରଙ୍କ କରୋନା ପଜିଟିଭି ଆସିଥିବା ଜଣାପଡିଥିଲା । ତେବେ ପୁଣିଥରେ ତାଙ୍କର ନମୁନା ପରୀକ୍ଷା ପରେ ରିପୋର୍ଟ ନେଗେଟିଭ ଆସିଛି । ଏଠାରେ କିନ୍ତୁ ଆରଟିପିସିଆର ଟେଷ୍ଟକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ରାଉରକେଲା ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଏସ ସୁଲେମାନ ଗତମାସ ୧୫ ତାରିଖରେ ପ୍ରଥମ ଡୋଜ୍ କରୋନା ଟିକା ଓ ପୁଣି ଫେବ୍ରୁଆରୀ ୧୬ରେ ଦ୍ୱିତୀୟ ଡୋଜ୍ କରୋନା ଟିକା ନେଇଥିଲେ । ହେଲେ ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ କରୋନା ପରୀକ୍ଷା କରାଯାଇଥିଲା । ଆରଟିପିସିଆର ଟେଷ୍ଟ କରାଯାଇଥିବାବେଳେ ରିପୋର୍ଟ ପଜିଟିଭ ଆସିଥିଲା । ଡାକ୍ତର ଟିକା ନେଇଥିବାରୁ ସନ୍ଦେହ ହୋଇଥିଲା । ତେଣୁ ପୁଣିଥରେ ଆରଏମଆରସିରେ ସେହି ଆରଟିପିସିଆର ଟେଷ୍ଟ ପରେ ରିପୋର୍ଟ ନେଗେଟିଭ ଆସିଛି । ଏବେ ପ୍ରଥମରୁ ପଜିଟିଭ ଆସିଥିବା ନମୁନାର ପୁନଃ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ଡାକ୍ତର ସୁଲେମାନଙ୍କ ବୟସ ୭୧ ବର୍ଷ ଓ ସେ ଜିଲ୍ଲା ଖଣିଜ ପାଣ୍ଠିରୁ ସରକାରୀ ଡାକ୍ତରଖାନାରି ନିୟୋଜିତ ହୋଇଥିବା ଜଣାପଡିଛି ।