ଶେଷରେ ଶୁଣିଲେ ସରକାର

44

ସମ୍ବଲପୁର ବ୍ୟୁରୋ ,କନକ ନ୍ୟୁଜ୍ : ଶେଷରେ ଶୁଣିଲେ ସରକାର । ୯ ଦଫା ନେଇ ୬ ମାସର କାର୍ଯ୍ୟ ବନ୍ଦ ଆନ୍ଦୋଳନ ସଫଳ ହୋଇଛି । ପୂରଣ ହୋଇଛି ବୁର୍ଲା ଜୁନିୟର ଡାକ୍ତର ସଂଘର ଦାବି । ବୁର୍ଲା ମେଡିକାଲକୁ ଆସିଛି ୯ କୋଟି ଟଙ୍କାର ଏମଆରଆଇ ମେସିନ ଓ ୪୦ ଲକ୍ଷ ଟଙ୍କାର ଏଲ୍ଇଡ଼ି ଫଟୋ ଥେରାପି ମେସିନ । ଏହାକୁ ନେଇ ଆଜି ବୁର୍ଲା ମେଡ଼ିକାଲର ଜୁନିୟର ଡ଼ାକ୍ତର ପାଳିଛନ୍ତି ବିଜୟ ଦିବସ । ବାଣ ଫୁଟାଇବା ସହ ପରସ୍ପରକୁ ମିଠା ଖୁଆଇ ଖୁସି ମନାଇଥିଲେ । ଏହାସହ ୱାର୍ଡ଼ ୱାର୍ଡ଼ ବୁଲି ରୋଗୀ ମାନଙ୍କୁ ମିଠା ଖୁଆଇଛନ୍ତି । ଏଣିକି ବୁର୍ଲା ମେଡିକାଲ ଭିତରେ ସୁବିଧାରେ ଚିକିତ୍ସା ପାଇପାରିବେ ବୋଲି କହିଛନ୍ତି ଜୁନିୟର ଡାକ୍ତର ସଂଘର ସଭାପତି ଶଙ୍କର ରାମଚନ୍ଦାନୀ । ଜୁନିୟର ଡ଼ାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ମହିଳା ମେଡ଼ିସିନ ନୂଆ କୋଠାକୁ ସ୍ଥାନାନ୍ତର ହୋଇଛି । ସୁରକ୍ଷା ବ୍ୟବସ୍ଥାରେ ମଧ୍ୟ ପରିବର୍ତନ ହୋଇଛି । ପାନୀୟ ଜଳ ପାଇଁ ବୋରୱେଲ ଖୋଳା ଯାଇଛି । ଆଉ ୧୫ ଦିନ ମଧ୍ୟରେ ଏମଆରଆଇ ମେସିନ ଲାଗି ଗଲେ ବୁର୍ଲା ମେଡ଼ିକାଲରୁ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ପାଇଁ ରୋଗୀଙ୍କୁ ଯିବାକୁ ପଡିବ ନାହିଁ ବୋଲି କହିଛନ୍ତି ଡାକ୍ତର ।

ଏମଆରଆଇ ମେସିନ ନଥିବା ଯୋଗୁଁ ରୋଗୀ ମାନେ ନସିଂହୋମ ମାନଙ୍କରେ ଏମଆରଆଇ ପରୀକ୍ଷା କଲେ ୬ ହଜାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ଆଉ ଏବେ ଏହା ହେବ ନାହିଁ । ବ୍ରେନ ଟ୍ୟୁମର,ସୁଷମ୍ନାକାଣ୍ଡ,ହୃଦୟ,ଛାତି ସମେତ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରାଯାଇପାରିବ । ସେହିପରି ଏଲଇଡ଼ି ଫଟୋ ଥେରାପି ମେସିନରେ ଜଣ୍ଡିସ ଜନିତ ରୋଗରେ ଆକ୍ରାନ୍ତ ନବଜାତ ଶିଶୁ ମାନଙ୍କ ଚିକିତ୍ସାରେ ବେଶ୍ ସହାୟକ ହୋଇ ପାରିବ । ଆଉ ଏବେ ରୋଗୀ ମାନେ ଏସବୁ ପାଇଁ କଟକ ବଡ଼ ମେଡ଼ିକାଲ ଯିବାକୁ ପଡ଼ିବ ନାହିଁ ବୋଲି ରୋଗୀ ମାନଙ୍କ ସଂପର୍କୀୟମାନେ କହିଛନ୍ତି ।