କୃଷକ ଆନ୍ଦୋଳନର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ । କହିଲେ କୃଷକଙ୍କ ଭାବାବେଗ ସହ ଜଡିତ ରହିଛି ମୁଁ

168

କନକ ବ୍ୟୁରୋ : ୫୦ ଦିନରେ ପହଂଚିଛି ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି ନୂତନ କୃଷିବିଲ୍ କୁ ବିରୋଧ କରି ସାରା ଦେଶର କୃଷକ ମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାର ସମାଧାନ ପାଇଁ ସରକାର ଓ କୃଷକ ମାନଙ୍କ ମଧ୍ୟରେ ୮ ଥର ବୈଠକ ବସିଲା ପରେ ବି କିଛି ନିସ୍କର୍ଷ ବାହାରି ପାରୁ ନାହିଁ । ଏହାକୁ ନଜରରେ ରଖି ସୁପ୍ରିମକୋର୍ଟ ଏକ ୪ ଜଣିଆ କମିଟି ଗଠନ କରିଥିଲେ । ଯେଉଁ କମିଟି କୃଷି ଆଇନର ସମୀକ୍ଷା କରି କୋର୍ଟଙ୍କୁ ଜଣାଇବ । ଏନେଇ ୪ ଜଣିଆ କମିଟିର ବୈଠକ ଆସନ୍ତା କାଲି ବସିବାକୁ ଥିବା ବେଳେ ସଦ୍ୟ ସୂଚନା ମୁତାବକ ଏହି କମିଟିରୁ ଓହରି ଯାଇଛନ୍ତି ଭୂପିନ୍ଦର ସିଂ ମାନ  । ଫଳରେ ଆସନ୍ତା କାଲି ବସିବାକୁ ଥିବା ବୈଠକକୁ ନେଇ ଅନିଶ୍ଚିତତା ଦେଖା ଦେଇଛି ।
ଉଚ୍ଚନ୍ୟାୟାଦଳ ଦ୍ୱାରା ଗଠିତ କମିଟିରୁ ଓହରିଯିବା ପରେ ଶ୍ରୀ ମାନ କହିଛନ୍ତି କି ସେ କୃଷକ ମାନଙ୍କର ଭାବାବେଗକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି । ସେ କୃଷକଙ୍କ ସହିତ ଥିଲେ ଓ ଆଗକୁ ରହିବାକୁ ପ୍ରତିଶୃତି ଦେଇଛନ୍ତି । ସିଧା ସଳଖ ନ କହିଲେ ବି ସେ ସରକାରଙ୍କ ଦ୍ୱାରା ପାରିତ ଆଇନକୁ କୃଷକ ବିରୋଧି ବୋଲି କହିବାକୁ ଯାଇ କହିଛନ୍ତି କି କୃଷକ ମାନଙ୍କର ହିତ ବିରୋଧରେ ସେ କେବେ ବି ଯିବେ ନାହିଁ ।
ଭୂପିନ୍ଦରଙ୍କ ଓହରି ଯିବାକୁ ନେଇ ଭାରତୀୟ କୃଷକ ସଂଗଠନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି କି ଭୂପିନ୍ଦର କମିଟିରୁ ଓହରି ଯିବା ପରେ କୃଷକ ଆନ୍ଦୋଳନର ବୈଚାରିକ ବିଜୟ ହୋଇଛି । ଏହା ସହ ସେ ଭୂପିନ୍ଦରଙ୍କୁ କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଆମନ୍ତ୍ରଣ କରିଛନ୍ତି ।