ବାରମ୍ବାର ହାରିବାର କାରଣ କହିଲେ ବୁମରାହ: ଦେଲେ ଏମିତି ବୟାନ

461

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତତୁ ଲଗାତାର ଦ୍ୱିତୀୟ ଥର ପାଇଁ ପରାଜୟ ସ୍ୱିକାର କରିବାକୁ ପଡିଛି । ପ୍ରଥମେ ପାକିସ୍ତାନ ଓ ପରେ ନ୍ୟୁଜିଲାଣ୍ଡଠୁ ହାରିଛି ଇଣ୍ଡିଆ । ଏହି ପରାଜୟ ପରେ ସେମିଫାଇନାଲରେ ପହଞ୍ଚିବା ଭାରତ ପାଇଁ କଷ୍ଟକର ହୋଇ ପଡିଛି । ତେବେ ଏହାରି ମଧ୍ୟ ଏହି ପରାଜୟର କାରଣ କହିଛନ୍ତି ଭାରତୀୟ ପେସ ବୋଲର ଯଶପ୍ରୀତ ବୁମରାହ ।

ବୁମରାହ ପ୍ରେସ କନଫରେନ୍ସରେ କହିଛନ୍ତି, ଅନେକ ସମୟରେ ଆମକୁ ବ୍ରେକର ଆବଶ୍ୟକତା ପଡିଥାଏ । ବର୍ତ୍ତମାନ ଶରୀର ଥକି ସାରିଲାଣି ଏବେ ଆରାମର ଆବଶ୍ୟକତା ରହିଛି । ଆମେ ୬ ମାସ ହେବ ପରିବାରଠୁ ଦୂରରେ ରହିଛୁ । ଆଉ ପରିବାରଠୁ ଦୂରରେ ବାୟୋ ବବଲ ପରିବେଶରେ ରହି ଖେଳାଳି ମାନସିକ ସ୍ତରରେ ଦୁର୍ବଳ ହୋଇ ପଡନ୍ତି ।

ଗତ ବର୍ଷ ଅଷ୍ଟ୍ରେଲିଆ ଗସ୍ତ ପରଠୁ ଭାରତ ଲଗାତାର କ୍ରିକେଟ ଖେଳିଆସୁଛି । ବର୍ଷ ଆରମ୍ଭରୁ ଫେବ୍ରୁଆରୀ ମାସରେ ଇଂଲଣ୍ଡ ଗସ୍ତ କରିଥିଲା ଭାରତ । ଏହାପରେ ପରେ ଆଇପିଏଲ ଆରମ୍ଭ ହୋଇଥିଲା । କରୋନା ଯୋଗୁଁ ଆଇପିଏଲ ବନ୍ଦ ହେବା ପରେ ମାସେ ଖେଳାଳିମାନେ ବିଶ୍ରାମ ନେଇଥିଲେ ସତ, ହେଲେ ଏହାପରେ ପୁଣି ଦଳ ଇଂଲଣ୍ଡ ଗସ୍ତ କରିଥିଲା ।

ଏହାପରେ ସଙ୍ଗେ ସଙ୍ଗେ ପୁଣି ଆଇପିଏଲର ଦ୍ୱିତୀୟ ପାର୍ଟ ଆରମ୍ଭ ହୋଇଥିଲା । ଆଉ ଆଇପିଏଲ ସରୁ ସରୁ ଟି-୨୦ ବିଶ୍ୱକପ । ଏହିଭଳି ଭାବେ ୬ ମାସ ହେବ ଲଗାତାର ଖେଳୁଛନ୍ତି ଭାରତୀୟ ଖେଳାଳି ।