ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ଆଜି ପୁଣେରେ ଖେଳାଯିବ । ଭାରତ ପାଇଁ ସିରିଜ ଜିତିବାର ସୁଯୋଗ ରହିଥିବା ବେଳେ ଶ୍ରୀଲଙ୍କା ପାଇଁ ସିରିଜ ବରାବର କରିବା ପାଇଁ ଶେଷ ସୁଯୋଗ ରହିଛି । ତେବେ ଏହି ମ୍ୟାଚରେ ଗୋଟିଏ ୱିକେଟ ହାସଲ କରିବା ମାତ୍ରେ ରେକର୍ଡ ବୁକରେ ସାମିଲ ହେବେ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ । ଟି-୨୦ରେ ଭାରତ ପକ୍ଷରୁ ସବୁଠୁ ଅଧିକ ୱିକେଟ ହାତେଇବାର ନୂଆ ରେକର୍ଡ ହାସଲ କରିପାରନ୍ତି ବୁମରାହ । ଏବେ ଟି-୨୦ରେ ୫୨ ୱିକେଟ ସହ ଚହଲ ଓ ଅଶ୍ୱିନୀ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ହାସଲକାରୀ ତାଲିକାର ଶୀର୍ଷରେ ରହିଛନ୍ତି ।
ଆହତ ସମସ୍ୟାରୁ ମୁକୁଳିବା ପରେ ଭାରତୀୟ ଟିମକୁ ଫେରିଛନ୍ତି ବୁମରାହ । ଦ୍ୱିତୀୟ ଟି-୨୦ରେ ୪ ଓଭର ବୋଲିଂ କରି ୩୨ ରନ୍ ଦେବା ସହ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ବୁମରାହ । ଆଉ ଏହାସହ ଟି-୨୦ କ୍ୟାରିୟରରେ ୫୨ ୱିକେଟ ହାସଲ କରିଥିଲେ । ତେଣୁ ଆଜି ମ୍ୟାଚରେ ଗୋଟିଏ ୱିକେଟ ଅକ୍ତିଆର କଲେ ଟି-୨୦ରେ ଭାରତ ପକ୍ଷରୁ ସର୍ବାଧିକ ୱିକେଟ ନେବାର ରେକର୍ଡ ନିଜ ନାଁରେ କରିବେ ବୁମରାହ । ଯେହେତୁ ପୂର୍ବ ୨ଟି ମ୍ୟାଚରେ ଚହଲଙ୍କୁ ସୁଯୋଗ ମିଳିନଥିଲା ତେଣୁ ଏହି ମ୍ୟାଚରେ ତାଙ୍କୁ ସୁଯୋଗ ମିଳିବା ସମ୍ଭାବନା କ୍ଷୀଣ ।
ପୁଣେରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ୍ ସନ୍ଧ୍ୟା ୭ଟାରେ ଖେଳାଯିବାକୁ ଥିବା ବେଳେ ବିରାଟ ବାହିନୀ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଇନ୍ଦୋରରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ଭାରତ ବଡ ବିଜୟ ହାସଲ କରିଥିଲା । ଆଉ ଆଜି ଏହି ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ ।