କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରେ ଆରମ୍ଭ ହେବ ଆଇପିଏଲ । ତେବେ ଏହାପୂର୍ବରୁ ଉଭୟ ଭାରତୀୟ ଟିମ୍ ଓ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଝଟକା । କାରଣ ଭାରତୀୟ ଦଳର ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କୁ ପୁଣିଥରେ ମୈଦାନକୁ ଫେରିବାକୁ ଲାଗିପାରେ ଆଉ କିଛି ସମୟ । ବର୍ଡର-ଗାଭାସ୍କର ଟ୍ରଫିରୁ ବାଦ୍ ପଡିଥିବା ବୁମରା ଆଇପିଏଲ ସମେତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମୁକାବିଲାରୁ ମଧ୍ୟ ବାଦ୍ ପଡିପାରନ୍ତି । ଅଷ୍ଟ୍ରେଲିଆକୁ ଆଉ ଗୋଟିଏ ଟେଷ୍ଟ ମ୍ୟାଚରେ ପରାଜିତ କଲେ ଭାରତ ସିଧାସଳଖ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ହାତେଇବ । ତେଣୁ ବୁମରା ବର୍ଷ ଶେଷକୁ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ଭାରତୀୟ ଦଳକୁ କମବ୍ୟାକ୍ କରିପାରନ୍ତି ।

Advertisment

ଡେଥ୍ ଓଭର ସ୍ପେଶାଲିଷ୍ଟ ଯଶପ୍ରୀତ ବୁମରା ଗତ ୭ ମାସ ହେବ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଛନ୍ତି । ଗତବର୍ଷ ଇଂଲଣ୍ଡ ଗସ୍ତ ସମୟରେ ତାଙ୍କ ପିଠିରେ ଯନ୍ତ୍ରଣା ହୋଇଥିଲା । ଯେଉଁଥିପାଇଁ ଏସିଆ କପରୁ ମଧ୍ୟ ବୁମରା ବାଦ୍ ପଡିଥିଲେ । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଦଳକୁ ଫେରିଥିଲେ ମଧ୍ୟ ମାତ୍ର ୨ଟି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିଲେ । କିନ୍ତୁ ଟି-୨୦ ବିଶ୍ୱକପ ଦଳରେ ବୁମରାଙ୍କୁ ସ୍ଥାନ ମିଳିନଥିଲା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବୁମରା ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଆଉ କିଛି ସମୟ ଲାଗିପାରେ । ଏବେ ପର୍ଯ୍ୟନ୍ତ ବୁମରା ପୂରା ଫିଟ୍ ହୋଇନାହାନ୍ତି । ଶେଷଥର ପାଇଁ ଗତ ସେପ୍ଟେମ୍ବରରେ କ୍ରିକେଟ ମୈଦାନକୁ ଓହ୍ଲାଇଥିଲେ ବୁମରା । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ବୁମରାଙ୍କୁ ସ୍ଥାନ ମିଳିଥିଲେ ମଧ୍ୟ ଦିନିକିଆ ଦଳରେ ସ୍ଥାନ ମିଳିନଥିଲା ।