ବୁଲେଟ ପ୍ରେମୀଙ୍କ ପାଇଁ ବଡ ଖବର । ବନ୍ଦ ହୋଇପାରେ ରୟାଲ ଏନଫିଲ୍ଡର ଏହି ୩ ମଡେଲ?

248

ଅଧିକାଂଶ ବାଇକ ଚାଳକଙ୍କର ବୁଲେଟ ପ୍ରତି ଅହେତୁକ ଦୁର୍ବଳତା ଥାଏ । ବାଇକର୍ସଙ୍କର ପ୍ରଥମ ପସନ୍ଦ ହେଉଛି ବୁଲେଟ । କିନ୍ତୁ ନୂଆବର୍ଷରେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ବୁଲେଟପ୍ରେମୀଙ୍କୁ ବଡ ଝଟକା ଦେବ । ରୟାଲ ଏନଫିଲ୍ଡ କମ୍ପାନି ୫୦୦ ସିସି ରେଞ୍ଜ ଥିବା ଥଣ୍ଡରବାର୍ଡ ୫୦୦, ବୁଲେଟ ୫୦୦ ଓ କ୍ଲାସିକ ୫୦୦ ମଡେଲର ବୁକିଂ ବନ୍ଦ କରିବା ଆରମ୍ଭ କରିଛି ।

ରିପୋର୍ଟ ଅନୁଯାୟୀ, ରୟାଲ ଏନଫିଲ୍ଡ ବୁଲେଟ ଓ ଥଣ୍ଡରବାର୍ଡ ୫୦୦ ମଡେଲର ବୁକିଂ ବିକଳ୍ପ କିଛି ୱେବସାଇଟରୁ ହଟାଇ ଦେଇଛି । ତେବେ ଷ୍ଟକ ଥିବା କ୍ଲାସିକ ୫୦୦ ମଡେଲର ଏବେ ମଧ୍ୟ ବୁକିଂ ଚାଲିଛି । କିନ୍ତୁ ଷ୍ଟକ ସରିଗଲେ ଏହାର ମଧ୍ୟ ବୁକିଂ ବନ୍ଦ କରିପାରେ କମ୍ପାନି । ତେବେ ରୟାଲ ଏନଫିଲ୍ଡ ତରଫରୁ ଏଯାଏଁ ଏ ବାବଦରେ କୌଣସି ସୂଚନା ଦିଆଯାଇନାହିଁ । ଗତ କିଛି ମାସ ହେବ ୫୦୦ ସିସିର ବୁଲେଟ ଅପେକ୍ଷା ୩୫୦ ସିସିର ବୁଲେଟ ମଡେଲର ବିକ୍ରି ବଢିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ୫୦୦ ସିସିର କିଛି ମଡେଲକୁ ବନ୍ଦ କରିପାରେ କମ୍ପାନି ।

ରୟାଲ ଏନଫିଲ୍ଡ କିଛି ମଡେଲ ବନ୍ଦ କରିବାକୁ ଥିବା ବେଳେ ଆଉ କିଛି ନୂଆ ମଡେଲ ମଧ୍ୟ ଆଣିବାକୁ ଯୋଜନା କରୁଛି । ଏପରିକି କମ୍ପାନି ଏହି ନୂଆ ମଡେଲର ନାଁ ମଧ୍ୟ ସ୍ଥିର କରି ସାରିଛି । ଏବେ କମ୍ପାନି ପକ୍ଷରୁ ୩୫୦, ୫୦୦ ଓ ୬୫୦ ସିସିର ବାଇକ ବିକ୍ରି ହେଉଛି । ତେବେ ୫୦୦ ସିସିର ଏହି ୩ ମଡେଲ ୨୦୧୯ରେ କମ୍ପାନିକୁ ନିରାଶ କରିଛି । ଲଗାତାର ଭାବେ ଏହି ମଡେଲର ବିକ୍ରିରେ ହ୍ରାସ ହେଉଥିବା ଦେଖିବାକୁ ମିଳିଛି ।