ମହଙ୍ଗା ପଡୁଛି ଭୁବନେଶ୍ୱରରେ ଘର କରିବା । ସାମ୍ନାକୁ ଆସିଲା ଚମକାଇ ଦେବା ଭଳି ରିପୋର୍ଟ

3,335

କନକ ବ୍ୟୁରୋ: ଭୁବନେଶ୍ୱରରେ ଜାଗା କିଣି ଘର କରିବା କିମ୍ବା ଆପାର୍ଟମେଣ୍ଟ୍ ଟିଏ କିଣିବାକୁ ସମସ୍ତଙ୍କ ଇଚ୍ଛା । ହେଲେ ଘର କିଣିବା ଏତେ ମହଙ୍ଗା ଯେ, ମଧ୍ୟବିତ୍ତଙ୍କ ପାଇଁ ଏହା ସାତ ସପନ । ଜାଣିଲେ ଆଶ୍ଚର୍ଯ୍ୟ ହେବେ, କେବଳ ଭାଇଜାଗକୁ ଛାଡିଦେଲେ ଦେଶର ସବୁ ସହରକୁ ପଛରେ ପକାଇ ଦେଇଛି ଭୁବନେଶ୍ୱର । ଅର୍ଥାତ ଭୁବନେଶ୍ୱରରେ ଘରର ଦାମ ଦେଶରେ ଦ୍ୱିତୀୟ ସର୍ବାଧିକ ।

ବିଭିନ୍ନ ସହରରେ ଜମିର ମୂଲ୍ୟ ଭିନ୍ନ, ଲୋକଙ୍କ ରୋଜଗାରର ମାଧ୍ୟମ ଓ ହାର ମଧ୍ୟ ଭିନ୍ନ ଭିନ୍ନ । ସେହିପରି ସହର କେତେ ଆଧୁନିକ ଓ ଘର କରିବା ପାଇଁ ସରକାରଙ୍କ ନିୟମାବଳୀ ମଧ୍ୟ ଅଲଗା ରହିଛି । ତେଣୁ ସିଧାସଳଖ ଘରର ମୂଲ୍ୟ ତୁଳନା କରିବା ଅପେକ୍ଷା ଲୋକେ ଦେଉଥିବା ମାସିକ ଘରଭଡା ଓ ଘରର ମୂଲ୍ୟକୁ ନେଇ ଏହି ତୁଳନା କରିଛି ମନି କଂଟ୍ରୋଲ ।

ବେଙ୍ଗାଳୁରୁ, କୋଲକାତା ଓ ଇନ୍ଦୋରରେ ମଧ୍ୟ ତୁଳନାତ୍ମକ ଭାବେ ଭୁବନେଶ୍ୱରଠାରୁ ଘର ଶସ୍ତା ବୋଲି ମନି କଂଟ୍ରୋଲ ଲିଆସେସ୍ ଫୋରାସ ହାଉସ ପରଚେଜ୍ ଆଫୋଡେବିଲିଟି ଇଣ୍ଡେକ୍ସରୁ ଜଣାପଡିଛି । ଏଥିରେ କୁହାଯାଇଛି ଯେ, ଭୁବନେଶ୍ୱରରେ ଘରଟିଏ କରି ଭଡା ଲଗାଇ ତାର ମୂଳ ଟଙ୍କା ଉଠାଇବାକୁ ଚାହିଁଲେ ୪୭ ବର୍ଷ ଲାଗିଯିବ । ନଜର ପକାନ୍ତୁ ଏହି ତଥ୍ୟ ଉପରେ ।

  • ଭାଇଜାଗ ପରେ ଭୁବନେଶ୍ୱରରେ ଘର କିଣିବା ସବୁଠୁ ମହଙ୍ଗା
  • ଭୁବନେଶ୍ୱରରେ ଘରର ଦର ୪୭ ବର୍ଷ ୫ ମାସର ଘର ଭଡା ସହ ସମାନ
  • ବେଙ୍ଗାଳୁରୁ, କୋଲକାତା ଓ ଇନ୍ଦୋରରେ ଭୁବନେଶ୍ୱରଠାରୁ କମ୍ ଦାମରେ ମିଳୁଛି ଘର
  • ବେଙ୍ଗାଳୁରୁରେ ଘରର ମୂଲ୍ୟ ୨୫ ବର୍ଷ ୩ ମାସର ଭଡା ସହ ସମାନ
  • ଦିଲ୍ଲୀ ଏନସିଆରରେ ଘର କିଣିବା ୩୭ ବର୍ଷ ୫ ମାସର ଭଡା ସହିତ ସମାନ
  • ମୁମ୍ବାଇରେ ଘର କଣିବା ଖର୍ଚ୍ଚ ୩୯ ବର୍ଷ ୧୦ ମାସର ଭଡା ସହିତ ସମାନ
  • କୋଲକାତାରେ ୨୯ ବର୍ଷ ୧୦ ମାସ ଭଡାରେ ରହିବା ସହିତ ସମାନ ଘରର ଦାମ୍

ଭୁବନେଶ୍ୱରରେ ଘର କିଣିବାକୁ ଚାହୁଁଥିଲେ ଆପଣଙ୍କର ମୋଟା ରୋଜଗାର ହେବା ଦରକାର । ନହେଲେ ଘର କିଣିବା ଅପେକ୍ଷା ଜୀବନଯାକ ଭଡା ଘରେ ରହିବା ଭଲ । ଜଣେ ଯେତିକି ଟଙ୍କା ଖର୍ଚ୍ଚ କରି ଘରଟିଏ କିଣିବ, ଆପଣ ସେତିକି ଟଙ୍କାରେ ୪୭ ବର୍ଷରୁ ଅଧିକ ଭଡା ଘରେ ରହିପାରିବେ । ଯଦି ଜଣେ ୩୫ ବର୍ଷରେ ଘରଟିଏ କିଣନ୍ତି, ଏହାକୁ ଭଡାରେ ଦେଇ ମୂଳ ପଇସା ଅସୁଲ କଲା ବେଳକୁ ତାଙ୍କୁ ୮୨ ବର୍ଷ ହେବା ଯାଏଁ ଅପେକ୍ଷା କରିବାକୁ ପଡିବ ।

ଯଦିଓ ଜମିର ଚଢା ମୂଲ୍ୟ ଏବଂ ଘର ତିଆରି ପାଇଁ କଂଚାମାଲ ଦର ବୃଦ୍ଧି ଯୋଗୁଁ ଭୁବନେଶ୍ୱରରେ ଘର ମହଙ୍ଗା ହେବା କଥା କୁହାଯାଉଛି । କିନ୍ତୁ ଏକଥା ସତ ଯେ, ଦେଶର ଅନ୍ୟ ସହର ଅପେକ୍ଷା ଭୁବନେଶ୍ୱରରେ ଘରଭଡା କମ୍ ରହିଛି । ତେଣୁ ଘରଭଡା ଦେଇ ଘର ତିଆରି ଖର୍ଚ୍ଚ ଉଠାଇବା କଥା କହିଲାବେଳେ ଏହାର ଅବଧି ବଢି ଯାଉଛି । ଘର କିଣିବାର ସାମର୍ଥ୍ୟକୁ ଘରଭଡା ସହ ତୁଳନା କଲେ ଏଭଳି ପରିସଂଖ୍ୟାନ ସାମ୍ନାକୁ ଆସୁଛି ।