କନକ ବ୍ୟୁରୋ : ରାଜଧାନୀର ରସୁଲଗଡ ଅଞ୍ଚଳରେ ଆପାର୍ଟମେଣ୍ଟ କିଣି ଫସିଯାଇଛନ୍ତି ଗ୍ରାହକ । ବିଲଡର ଜଣକ କେସ୍ ପରେ କେସ୍ କରି ଚାଲିଛି । ଆଉ ଏପଟେ ଅସହାୟ ଗ୍ରାହକ କିଛି କରିପାରୁନାହାନ୍ତି । ବର୍ଷ ବର୍ଷ ଧରି କେବଳ ଘର ପାଇବାକୁ ଅପେକ୍ଷା କରିଛନ୍ତି । ଗତ ବର୍ଷ ଜାନୁୟାରୀରେ କୋର୍ଟ କହିଥିଲେ, ଗ୍ରାହକଙ୍କୁ ଘର ହସ୍ତାନ୍ତର କରନ୍ତୁ ବିଲଡର । କିନ୍ତୁ ତାପରେ ପୁଣି କେସ୍ ଲଦିଦେଇଛନ୍ତି ବିଲଡର । ଆଉ ଏହି ଖେଳ ଭିତରେ ବିଚରା ଗ୍ରାହକଙ୍କ ଅବସ୍ଥା ଖରାପ ହୋଇଯାଇଛି ।

Advertisment

ରାଜଧାନୀର ରସୁଲଗଡ ଜିଜିପି କଲୋନୀ ଅଞ୍ଚଳରେ ଥିବା ସାଇପୂଜା ଆପାର୍ଟମେଣ୍ଟକୁ ନେଇ ଚର୍ଚ୍ଚା । ଜଣେ ବାହୁବଳି ବିଲଡର କେମିତି ଲୋକଙ୍କ ଜୀବନ ଯାକର ପୁଂଜି ନେଇଯାଇଛି କିନ୍ତୁ ଘର ଦେଉନାହିଁ ଏବଂ ଘର କିଣିଥିବା ସାଧାରଣ ଲୋକ ବି କିଛି କରିପାରୁନାହାନ୍ତି । ଆପାର୍ଟମେଣ୍ଟ ତଳେ ଜଣେ ଆସି ଗାଈ ବାନ୍ଧୁଛି, ଏବଂ ବିଲଡର ଜଣଙ୍କ ଘର କିଣିଥିବା ଲୋକଙ୍କ ଉପରେ କୋର୍ଟରେ କେସ୍ କରି ଚାଲିଛନ୍ତି । ଫଳରେ ବିବାଦ ବଢିବଢି ଚାଲିଛି, ଲୋକେ କିଛି କରିପାରୁନାହାନ୍ତି, ଏବଂ ବିଲଡର ଜଣଙ୍କ ଆରାମରେ ବୁଲୁଛି ।

ବିଲଡର ଶ୍ରୀଧର ଚନ୍ଦ୍ର ବଳ, ଅଭିଯୋଗ କରିଥିଲେ ଯେ, ଘର କିଣିଥିବା ଲୋକେ ତାଙ୍କୁ ୮୩ ଲକ୍ଷ ଟଙ୍କା ଦେଇନାହାନ୍ତି । ଏପଟେ ଘର କିଣିଥିବା ଲୋକେ କହିଛନ୍ତି, ସବୁ ଟଙ୍କା ନେବା ପରେ ବିଲଡର ତାଙ୍କୁ ପୋଜେସନ୍ ସାର୍ଟିଫିକେଟ୍ ବି ଦେଇଛି । ଏସବୁ ଶୁଣିବା ପରେ କୋର୍ଟ କହିଥିଲେ, ଘର କିଣିଥିବା ଲୋକଙ୍କୁ ବିଲଡର ଘର ଦିଅନ୍ତୁ ଏବଂ ଯଦି କାହାର ଟଙ୍କା ବାକି ଅଛି, ତାହା ପ୍ରମାଣ କରି ଉପଯୁକ୍ତ ଫୋରମରେ ଟଙ୍କା ନିଅନ୍ତୁ । କିନ୍ତୁ ଏସବୁ ଆଦେଶକୁ ନମାନି ବିଲଡର ଶ୍ରୀଧର ଚନ୍ଦ୍ର ବଳ, ଘର କଣିଥିବା ଲୋକଙ୍କୁ ପୁଣି ଅନ୍ୟ କେଶରେ ଛନ୍ଦିବା ପାଇଁ ଚେଷ୍ଟା କରିଛନ୍ତି । ଦେଖନ୍ତୁ କଣ କହିଛନ୍ତି ବିଲଡର ।

କୋର୍ଟ କଚେରୀର ଲଢେଇ ସମସ୍ତଙ୍କ ପାଇଁ ସହଜ କଥା ନୁହେଁ । କୋଟି କୋଟି ଟଙ୍କାରେ କାରବାର କରୁଥିବା ଶ୍ରୀଧର ବଳଙ୍କ ଭଳି ବିଲଡରଙ୍କ ଏହା ନିୟମିତ ବ୍ୟାପାର ହୋଇଥାଇପାରେ, କିନ୍ତୁ ଜୀବନ ଯାକର ପୁଞ୍ଜି ଦେଇ ଘର କିଣିଥିବା ସାଧାରଣ ଲୋକ ଏମାନଙ୍କ ଆଗରେ ବି କଣ କରିବେ । ଏହି ଘଟଣା ବୟାନ କରୁଛି, ଆମ ବ୍ୟବସ୍ଥା ଏହି ଭଳି ବିଲଡରଙ୍କ ପାଇଁ କେତେ ସୁହାଉଛି, ଏବଂ ଟଙ୍କା ନେଇ, ଘର ନଦେଇ ଆରାମରେ ବୁଲୁଛନ୍ତି ।