ବଗଲା ଜମି ବିକ୍ରି ପ୍ରସଙ୍ଗ : ଜିଲ୍ଲା ପ୍ରଶାସନ ଉପରେ ପ୍ରବଳ ବର୍ଷିଲେ ବିଜୟ ମହାପାତ୍ର : କହିଲେ, ସଠିକ୍ ତଦନ୍ତ କରନ୍ତୁ ସରକାର । ଲଜ ମାଲିକଙ୍କୁ ଜମି ଦିଆଗଲା କେମିତି କଲେ ପ୍ରଶ୍ନ

119

କନକ ବ୍ୟୁରୋ : ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ପ୍ରସଙ୍ଗକୁ ନେଇ ତେଜିବାରେ ଲାଗିଛି ବିବାଦ । ଆଜି ପୁଣି ବିଜେପି ଓ ସିପିଏମ ପକ୍ଷରୁ ଧର୍ମଶାଳା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେଲ୍ ଡିଡକୁ ବାତିଲ କରି ସେହି ସ୍ଥାନରେ ପୁନଃ ଧର୍ମଶାଳା ସ୍ଥାପନ ଦାବିରେ ସେମାନେ ବିକ୍ଷୋଭ କରିଛନ୍ତି । ଦାନସୂତ୍ରରେ ମିଳିଥିବା ଜମିକୁ କେଉଁ ଅଧିକାରରେ ଜିଲ୍ଲା ପ୍ରଶାସନ ଲଜ୍ ମାଲିକଙ୍କୁ ବିକ୍ରି କରିଛି ସେ ନେଇ ବିକ୍ଷୋଭକାରୀମାନେ ପ୍ରଶ୍ନ ଉଠାଇଛନ୍ତି । ବିସ୍ଥାପିତଙ୍କୁ ଧର୍ମଶାଳା ଜମିର ୧୨ ପ୍ରତିଶତ ଦିଆଯାଇଥିବା ପ୍ରଶାସନ ପକ୍ଷରୁ ସଫେଇ ଦିଆଯିବା ପରେ ଏହାକୁ ବିରୋଧ କରିଛନ୍ତି ।

ସେପଟେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏହି ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି । ସରକାର ଏହି ମାମଲାର ପୁରା ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ୧୧୫ ବର୍ଷ ପୂର୍ବେ ୧୯୦୫ ମସିହାରେ କହ୍ନେୟା ଲାଲ ବଗଲା ଏହି ଧର୍ମଶାଳାକୁ ତୀର୍ଥଯାତ୍ରୀଙ୍କ ଉଦ୍ଦେଶ୍ୟରେ ଦାନ ଆକାରରେ ଦେଇଥିଲେ । ତେଣୁ କିଭଳି ଏହାକୁ ଲଜ ମାଲିକଙ୍କୁ ଟେକି ଦିଆଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଗତକାଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଥିଲା, ବଗଲା ଜମି ବିକ୍ରି କରାଯାଇନାହିଁ । ଯେଉଁମାନେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ଜମି ଦାନ କରିଛନ୍ତି ସେହି ବିସ୍ଥାପିତଙ୍କୁ ଏହି ଜମିର ଅଳ୍ପ ଅଂଶରେ କେବଳ ଥଇଥାନ କରାଯାଇଛି ।