କନକ ବ୍ୟୁରୋ : ଚିଲିକା ଟାପୁରେ ମଇଁଷି ଚାଷ । ପ୍ରତିଦିନ ଉତ୍ପାଦନ ହେଉଛି ଶହ ଶହ ଲିଟର କ୍ଷୀର । ଚିଲିକାର ଦଳ ଓ ନଳ ଘାସ ଖାଇ ମଇଁଷି ମାନେ ପ୍ରାକୃତିକ ଭାବେ ବଢ଼ିବା ସହ ପ୍ରଚୁର ପରିମାଣର କ୍ଷୀର ଦେଉଛନ୍ତି । ଆଉ ଏହି ଚାଷକୁ ଆପଣାଇ ଲାଭବାନ ହେଉଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଚଳର ଅନେକ ଚାଷୀ । ଚିଲିକା ଟାପୁରେ ମଇଁଷି ମାନଙ୍କୁ ରଖି ସେମାନଙ୍କୁ ଚରାଇବା, ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ଭଳି ସମସ୍ତ କାମ କରୁଛନ୍ତି । ସେହିଭଳି ଜଣେ ଚାଷୀ ହେଉଛନ୍ତି କୁରୁପାଳ ଗାଁର କେଦାର ଜେନା । ବାପା ଓ ଜେଜେ ବାପାଙ୍କ ଅମଳରୁ ଏହି ବୃତ୍ତିକୁ ଜାରି ରଖିଛନ୍ତି କେଦାର । ମାତ୍ର ଦୁଇଟି ମଇଁଷିରୁ ଆରମ୍ଭ ହୋଇଥିବା ଚାଷ ଏବେ ଏକାଧିକ ମଇଁଷିରେ ପହଂଚିଛି । ଏବେ ମଇଁଷି ସଂଖ୍ୟା ବଢ଼ିବା ସହ ପ୍ରତିିଦିନ ଦେଢ଼ଶହରୁ ୨୦୦ ଲିଟର କ୍ଷୀର ଉତ୍ପାଦନ ହେଉଛି । ଜିଲ୍ଲା ତଥା ଜିଲ୍ଲା ବାହାରକୁ ଯାଉଛି ଚିଲିକା ଅଂଚଳରୁ ଉତ୍ପାଦନ ହେଉଥିବା କ୍ଷୀର ।
ନିଜ ଅଂଚଳରେ ରହି ନିଜସ୍ୱ ଉଦ୍ୟମରେ ଆତ୍ମନିର୍ଭର ହୋଇପାରୁଥିବାରୁ ଚାଷୀ ମାନେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ବିନା ଖର୍ଚ୍ଚରେ ପ୍ରାକୃତିକ ଉପାୟରେ ମଇଁଷି ପାଳୁଛନ୍ତି ଏହି ଚାଷୀ । ଅନ୍ୟପଟେ ଗାଇ କ୍ଷୀର ଭଳି ମଇଁଷି କ୍ଷୀରରେ ପ୍ରଚୁର ପରିମାଣରେ ପୋଷକ ତତ୍ୱ ରହୁଥିବାରୁ ବଜାରରେ ଏହାର ଭଲ ଚାହିଦା ରହିଛି । ବିଭିନ୍ନ କମ୍ପାନୀ, ବ୍ୟବସାୟୀ ଓ ଆଖପାଖ ଅଂଳର ଲୋକ ଚିଲିକା କୂଳକୁ ଆସି ଚାଷୀଙ୍କ ଠାରୁ କ୍ଷୀର କିଣି ନେଉଛନ୍ତି । ମଇଁଷି କ୍ଷୀରରୁ ଘିଅ, ଦହି, ଛେନା ଓ ପନିର ଭଳି ଦୁଗ୍ଧଜାତୀୟ ସାମଗ୍ରୀ ତିଆରି ଏହାକୁ ବିକ୍ରି କରାଯାଉଛି । ଚାଷୀଙ୍କୁ ବିକ୍ରିବଟାରେ ମଧ୍ୟ କୌଣସି ଅସୁବିଧା ହେଉନାହିଁ ।
ଅନ୍ୟ ଅଂଚଳରେ ହେଉଥିବା ମଇଁଷି ଚାଷ ଅପେକ୍ଷା ଚିଲିକା ମଇଁଷି କ୍ଷୀରର ସ୍ୱତନ୍ତ୍ରତା ରହିଛି । ପ୍ରୋଟିନ୍, ଭିଟାମିନ୍ ଓ ଆଂଟି ଅକ୍ସିଡାଂଟ ଭଳି ପୋଷକତତ୍ୱ ମଇଁଷି କ୍ଷୀରରେ ରହୁଥିବାରୁ ଲୋକେ ଚାଷୀଙ୍କ ନିକଟକୁ ଆସି କିଣିନିଅନ୍ତି ।