ବିଜେପିକୁ ବୁଧାନଙ୍କ ପ୍ରଶ୍ନ? ଆଜ୍ଞାଧୀନ କର୍ମୀ ଭଳି କାମ କଲି, କିନ୍ତୁ ଟିକେଟ କାହିଁକି କାଟିଲ ତାହାର ଉତ୍ତର ଦିଅ ।

1,650

କନକ ବ୍ୟୁରୋ : ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ସାରସକଣାରୁ ବିଧାୟକ ଥିବା ବୁଧାନ ମୁର୍ମୁଙ୍କ ଟିକେଟ କାଟିଛି । ସାରସକଣାରୁ ନୂଆ ମୁହଁ ଭାବେ ଭାଦବ ହାଂସଦାଙ୍କୁ ଦଳ ମୈଦାନକୁ ଓହ୍ଲାଇଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବୁଧାନ ମୁର୍ମୁ । କନକ ନ୍ୟୁଜକୁ ସାକ୍ଷାତକାର ଦେଇ ବୁଧାନ କହିଛନ୍ତି, ମୋ ସହ ଦଳ ବିଶ୍ୱାସଘାତକତା କରିଛି । ଦଳ ସହ ଆଲୋଚନା ପରେ ନିଷ୍ପତ୍ତି ନେବି । ଟିକେଟ କାହିଁକି କଟିଲା ବୋଲି ଦଳକୁ ପଚାରିବି । କାରଣ ଏହା ପୂର୍ବରୁ ଟିକେଟ କଟିବନି ବୋଲି ଦଳ ପକ୍ଷରୁ କୁହାଯାଇଥିଲା । କିନ୍ତୁ ମୋ ସହ ବିଶ୍ୱାସଘାତକତା କରାଗଲା ।

ବୁଧାନ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ବେଳେ ମୋ ନାଁ ତାଲିକାରେ ନଥିଲା । ତେଣୁ ବାଧ୍ୟହୋଇ ପାର୍ଟି ଅଫିସକୁ ଆସି ଦଳର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଥିଲି । ସେତେବେଳେ ମୋତେ ଟିକେଟ ମିଳିବା ନେଇ ଆଶ୍ୱସନା ମିଳିଥିଲା । ଦ୍ୱିତୀୟ ପର୍ଯ୍ୟାୟ ଘୋଷଣାରେ ମୋ ନାଁ ନିଶ୍ଚୟ ରହିବ ବୋଲି କୁହାଯାଇଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ମୋ ନାଁ ନାହିଁ । ଦଳ ଯାହା ଦାୟିତ୍ୱ ଦେଇଥିଲା ତାହାକୁ ମୁଁ ସଠିକ୍ ଢଙ୍ଗରେ ତୁଲାଇଥିଲି । ଦଳର ଆଜ୍ଞାଧୀନ କର୍ମୀ ଭଳି କାମ କରିଛି । ଏହାସତ୍ତେ୍ୱ ମଧ୍ୟ ଦଳ କାହିଁକି ଅଣଦେଖା କଲା ତାହା ମୋତେ ଚିନ୍ତାରେ ପକାଇଛି । ଦଳ ମୋର ଟିକେଟ କାହିଁକି କାଟିଲା ସେନେଇ କାରଣ ପଚାରିବି । ମାସେ ତଳେ ଦଳକୁ ଆସିଥିବା ନେତାଙ୍କୁ ବିଜେପି କାହିଁକି ଟିକେଟ ଦେଲା ବୋଲି ପ୍ରଶ୍ନ କରିବି । ଯଦି ଠିକ୍ ଉତ୍ତର ନ ମିଳିଲା ତେବେ ମୁଁ ବିକଳ୍ପ ପନ୍ଥା ଆପଣାଇବି ବୋଲି କହିଛନ୍ତି ବୁଧାନ ।