କନକ ବ୍ୟୁରୋ : ବଜେଟ ଅଧିବେଶନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଅର୍ଥଶାସ୍ତ୍ରୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ବିଭିନ୍ନ କ୍ଷେତ୍ରରେ ଥିବା କିଛି ବିଶେଷଜ୍ଞଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ନୀତି ଆୟୋଗ ବୈଠକରେ ଆଲୋଚନା କରିବେ । ବଜେଟ ଉପସ୍ଥାପନ କରିବାକୁ ନିର୍ମଳା ସୀତାରମଣ ପ୍ରସ୍ତୁତ କରୁଥିବା ବେଳେ ଏହା ପୂର୍ବରୁ ବିଭିନ୍ନ ସଂସ୍ଥାର ଦାବି ଓ ପ୍ରତିକ୍ରିୟା ଉପରେ ସରକାର ଧ୍ୟାନ ଦେଉଛନ୍ତି । ପୂର୍ବବର୍ଷ ଭଳି ଚଳିତ ବର୍ଷ ବଜେଟରେ ରାଜକୋଷ କ୍ଷତିକୁ ନିୟନ୍ତ୍ରିତ କରିବା ଓ ବିକାଶ ଉପରେ ଜୋରଦେବା ଲାଗି ପ୍ରୟାସ କରାଯାଉଥିବା କଥା କୁହାଯାଇଛି । ଚଳିତବର୍ଷ ବଜେଟ ଅଧିବେଶନ ଜାନୁଆରୀ ପହିଲାରୁ ଆରମ୍ଭ ହୋଇ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।

Advertisment

କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଟ୍ୱିଟ୍ ମୁତାବକ ବଜେଟ ଅଧିବେଶନ ୨୦୨୩ରେ ସଂସଦୀୟ କାର୍ଯ୍ୟ ଜାନୁଆରୀ ୩୧ ରୁ ଆରମ୍ଭ ହୋଇ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କ୍ରମରେ ୨୭ଟି ବୈଠକର ଆୟୋଜନ କରାଯିବ । ଏହି ଅଧିବେଶନ ପାଖାପାଖି ୬୬ ଦିନ ଚାଲିବ ।

ସୂଚନା ଥାଉକି, କରୋନା ମହାମାରୀ, ଦରବୃଦ୍ଧି ଓ ସୀମା ସଂକଟକୁ ନେଇ ଚଳିତ ବଜେଟରୁ ସାଧାରଣ ଲୋକମାନେ ବହୁତ କିଛି ଆଶା ରଖିଛନ୍ତି । ଏହାସହ ଚାକିରୀଆମାନେ ଆୟକର ଉପରେ ଛାଡ ସୀମା ବୃଦ୍ଧି କରାଯିବା ନେଇ ଆଶା କରିଛନ୍ତି ।