ଫେବ୍ରୁଆରି ୧ରେ କେନ୍ଦ୍ର ବଜେଟ୍: ଅର୍ଥନୀତିଜ୍ଞଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ; ବଜେଟ୍ ପାଇଁ ଦେଶବାସୀଙ୍କ ମତାମତ ଲୋଡ଼ିଲେ

Advertisment
ଫେବ୍ରୁଆରି ୧ରେ କେନ୍ଦ୍ର ବଜେଟ୍: ଅର୍ଥନୀତିଜ୍ଞଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ; ବଜେଟ୍ ପାଇଁ ଦେଶବାସୀଙ୍କ ମତାମତ ଲୋଡ଼ିଲେ

କନକ ବ୍ୟୁରୋ: ଅର୍ଥନୀତିକୁ ପାଞ୍ଚ ଲକ୍ଷ କୋଟି ଡଲାରରେ ପରିଣତ କରିବା ଲକ୍ଷ୍ୟ ଖାମଖିଆଲି ଭାବେ ଧାର୍ଯ୍ୟ କରାଯାଇନାହିଁ। ଦେଶର ସାମର୍ଥ୍ୟକୁ ଗଭୀର ଭାବେ ବୁଝିବା ପରେ ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନିତି ଆୟୋଗରେ ଆୟୋଜନ କରାଯାଇଥିବା ପ୍ରାକ୍ ବଜେଟ୍ ବୈଠକରେ ଅଧ୍ୟକ୍ଷତା କରି ସେ ଏହା କହିଛନ୍ତି। ସେ ବରିଷ୍ଠ ଅର୍ଥନୀତିଜ୍ଞ, ଉତ୍ପାଦନ, ଭ୍ରମଣ ଓ ପର୍ଯ୍ୟଟନ, ପୋଷାକ ଓ ଏଫଏମସିଜି କ୍ଷେତ୍ରର ବିଶେଷଜ୍ଞ, ପ୍ରାଇଭେଟ୍ ଇକ୍ବିଟି ଓ ଭେଞ୍ଚର କ୍ୟାପିଟାଲିଷ୍ଟ୍ର ପ୍ରତିନିଧିମାନଙ୍କ ସହ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ କୃଷି, ବିଜ୍ଞାନ ଓ ପ୍ରଯୁକ୍ତି ଏବଂ ଅର୍ଥ କ୍ଷେତ୍ରର ବିଶେଷଜ୍ଞମାନେ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏଭଳି ବୈଠକ ଆୟୋଜନ ଦ୍ବାରା ନୀତି ନିର୍ଧାରକ ଓ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ସମନ୍ବୟ ବୃଦ୍ଧି ପାଇବ। ଭାରତୀୟ ଅର୍ଥନୀତିର ମୂଳଦୁଆ ବେଶ ସୁଦୃଢ଼।

ପୁଣି ଥରେ ଦ୍ରୁତ ଗତିରେ ଆଗକୁ ବଢ଼ିବାର ସବୁ ପ୍ରକାର କ୍ଷମତା ଏହା ପାଖରେ ରହିଛି ବୋଲି ସେ କହିଛନ୍ତି। ପର୍ଯ୍ୟଟନ, ସହରାଞ୍ଚଳ ବିକାଶ, ଭିତ୍ତିଭୂମି ଓ କୃଷି କ୍ଷେତ୍ରରେ ଦେଶର ଅର୍ଥନୀତିକୁ ଆଗକୁ ବଢ଼ାଇବା ଏବଂ ବିପୁଳ ନିଯୁକ୍ତି ସୃଷ୍ଟି କରିବାର ଶକ୍ତି ରହିଛି ବୋଲି ସେ କହିଛନ୍ତି। ୨୦୨୦-୨୧ର ବଜେଟ୍ ଲାଗି ସେ ଦେଶବାସୀଙ୍କ ପରାମର୍ଶ ଓ ମତାମତ ଲୋଡ଼ିଛନ୍ତି। ମାଇଁ ଗଭ୍ ପୋର୍ଟାଲ୍ ଜରିଆରେ ନିଜର ମତ ରଖିବାକୁ ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ, ରେଳ ମନ୍ତ୍ରୀ ପୀୟୂଷ ଗୋୟଲ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର୍, ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର, ସିଇଓ ଅମିତାଭ କାନ୍ତ ଏବଂ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞମାନଙ୍କ ୩୮ ଜଣିଆ ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ଥିଲେ।

ସଂସଦର ବଜେଟ୍ ଅଧିବେଶନ ଚଳିତ ମାସ ୩୧ରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନର ଦୁଇଟି ପର୍ଯ୍ୟାୟ ରହିଛି। ପ୍ରଥମ ପର୍ଯ୍ୟାୟ ଜାନୁଆରି ୩୧ରୁ ଫେବ୍ରୁଆରି ୧୧ ପର୍ଯ୍ୟନ୍ତ ଓ ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ୨ରୁ ଏପ୍ରିଲ୍ ୩ ପର୍ଯ୍ୟନ୍ତ ଚାଲିବ। ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ଦ୍ବିତୀୟ ବଜେଟ୍ ଉପସ୍ଥାପନ କରିବେ। ଦେଶର ଅର୍ଥନୀତି ୫% ଭଳି ନିମ୍ନ ସ୍ତରକୁ ଖସିଯିବ ବୋଲି ଆକଳନ କରାଯାଇଥିବାରୁ ଏଥରର ବଜେଟର ମହତ୍ବ ବହୁତ ବଢ଼ିଯାଇଛି। ଗତକାଲି ବିଶ୍ବବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ମଧ୍ୟ ଆକଳନ କରାଯାଇଛି ଯେ ଭାରତର ଅଭିବୃଦ୍ଧି ହାର ୨୦୧୯-୨୦ରେ ୫%କୁ ହ୍ରାସ ପାଇବ। ୨୦୨୦-୨୧ ଠାରୁ ପୁଣି ଏହା ଦ୍ରୁତ ଗତିରେ ଆଗକୁ ବଢ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe