ଆଜିଠୁ ସଂସଦର ବଜେଟ ଅଧିବେଶନ । ଆସନ୍ତାକାଲି ଗୃହରେ ଆଗତ ହେବ ଅନ୍ତରୀଣ ବଜେଟ, କଣ ନୂଆ ଘୋଷଣା କରିବେ ରହିଛି ପୂରା ଦେଶର ନଜର ।

143

କନକ ବ୍ୟୁରୋ : ଆଜିଠୁ ସଂସଦର ବଜେଟ ଅଧିବେଶନ, ଆସନ୍ତାକାଲି ଗୃହରେ ଅନ୍ତରୀଣ ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ବଜେଟ ଅଧିବେଶନ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ସେଂଟ୍ରାଲ ହଲରେ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନଙ୍କୁ ଉଦବୋଧନ ଦେବେ ।

ଅଧିବେଶନର ପ୍ରଥମ ଦିନରେ ଆଜି ଲୋକସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ଆସନ୍ତାକାଲି ଅର୍ଥାତ ଗୁରୁବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅନ୍ତରୀଣ ବଜେଟ ଆଗତ କରିବେ । ଏହା ପୂର୍ବରୁ ମଙ୍ଗଳବାର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ବଜେଟ ହୋଇଥିବା ବେଳେ ଏଥିରେ ଦେଶବାସୀଙ୍କ ପାଇଁ କିଛି ଖାସ ଘୋଷଣା କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଏହା ଅନ୍ତରୀଣ ବଜେଟ୍ ହୋଇଥିବା ବେଳେ ଆଗାମୀ ଜୁଲାଇ ମାସରେ ନୂଆ ସରକାର ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ । ନିର୍ବାଚନୀ ବର୍ଷରେ କେନ୍ଦ୍ରୀୟ ବଜେଟ କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି ।