ସଂସଦରେ ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଉପସ୍ଥାପିତ ହେବ ଇକୋନମିକ ସର୍ଭେ ରିପୋର୍ଟ । ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ଡିପାର୍ଟମେଂଟ ଅଫ ଇକୋନମିକ ଆଫେୟାର୍ସ ଦ୍ୱାରା ପ୍ରସ୍ତୁତ ୨୦୨୧-୨୨ ଆର୍ଥିକ ସମୀକ୍ଷା ରିପୋର୍ଟ ଆଜି ଉପସ୍ଥାପିତ ହେବ ।
ମଙ୍ଗଳବାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ । ସଂସଦରେ ଚତୁର୍ଥ ଥର ପାଇଁ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିବେ ।କରୋନା କାଳରେ ନିର୍ମଳାଙ୍କ ଏହି ବଜେଟ ଉପରେ ସମସ୍ତଙ୍କ ନଜର ରହିଛି । ସବୁ ବର୍ଗ ଓ ସମସ୍ତ କ୍ଷେତ୍ର ପାଇଁ ବଜେଟରେ ବ୍ୟୟ ବରାଦ ଥିବା ଆଶା କରାଯାଉଛି । ଜାନୁୟାରୀ ୩୧ ତାରିଖରୁ ଫେବୃୟାରୀ ୧୪ ତାରିଖ ଯାଏଁ ଚାଲିବ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ।
ତେବେ ଏଥର ବଜେଟ ଅଧିବେଶନରେ ବିରୋଧୀ ସରକାରଙ୍କ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି । ବିଶେଷ କରି ପେଗାସସ ମାମଲା, ଚୀନର ଅନୁପ୍ରବେଶ, ଚାଷୀ ସମସ୍ୟା ଆଦି ପ୍ରସଙ୍ଗ ସଂସଦରେ ଉଠାଇ ସରକାରଙ୍କ ଅଡୁଆ ବଢାଇବାକୁ ବିରୋଧୀ ରଣନୀତି କରିଛନ୍ତି । ପେଗାସସ ମାମଲାରକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରିବାକୁ ବିରୋଧ ରଣନୀତି ପ୍ରସ୍ତୁତ କରିଛନ୍ତି ।
ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳର ଲୋକସଭା ଏବଂ ରାଜ୍ୟସଭାର ନେତା ଯୋଗଦେବେ ବୋଲି ଜଣାପଡିଛି। ବୈଠକରେ ବିଜେଡି ଓଡିଶା ବିଧାନ ପରିଷଦ ଗଠନ କରାଯିବା ନେଇ ସମ୍ବିଧାନ ସଂଶୋଧନ ବିଲକୁ ଆଗତ କରି ପାରିତ କରିବା ପାଇଁ ଦାବି ଉପସ୍ଥାପନ କରିପାରେ । ମହିଳା ସଂରକ୍ଷଣ ବିଲକୁ ଗୃହୀତ କରିବା ପାଇଁ ପୁଣିଥରେ ବିଜେଡି ସର୍ବଦଳୀୟ ବୈଠକରେ ଦାବି ଦୋହରାଇପାରେ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସଂସଦରେ ରାଜ୍ୟ ସ୍ବାର୍ଥ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗରେ ବିଜେପି ଏବଂ ବିଜେଡି ମୁହାଁମୁହିଁ ହେବାର ସମ୍ଭାବନା ରହିଛି ।
ବିଜେଡିର ଜଣେ ନେତା କହିଛନ୍ତି ଯେ ସଂସଦର ବଜେଟ ଅଧିବେଶନରେ ବିଜେଡି ପକ୍ଷରୁ ରାଜ୍ୟ ସ୍ବାର୍ଥ ସଂପର୍କିତ ଏକାଧିକ ପ୍ରସଙ୍ଗ ଉଠାଯିବ । କେନ୍ଦ୍ରୀୟ ଅବହେଳା ସହିତ ସର୍ବଭାରତୀୟ ପ୍ରଶାସନିକ କ୍ୟାଡର ରୁଲ୍ସ ପରିବର୍ତ୍ତନ ପ୍ରସ୍ତାବ ଉପରେ ମଧ୍ୟ ବିଜେଡି କଡା ଆଭିମୁଖ୍ୟ ଗ୍ରହଣ କରିପାରେ । କ୍ୟାଡର ରୁଲ୍ସ ପରିବର୍ତ୍ତନ ଲାଗି କେନ୍ଦ୍ରର ପ୍ରସ୍ତାବକୁ ସବୁ ବିରୋଧୀ ଦଳ ଶାସିତ ରାଜ୍ୟ ବିରୋଧ କରୁଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାରକୁ ସେମାନେ ଅଡ଼ୁଆରେ ପକାଇ ପାରନ୍ତି ।