କନକ ବ୍ୟୁରୋ : ଆସନ୍ତାକାଲି ଆସିବ ସାଧାରଣ ବଜେଟ । ଏଥିପାଇଁ ଆଜିଠାରୁ ବସିବ ବଜେଟ୍ ଅଧିବେଶନ । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ସେଂଟ୍ରାଲ ହଲରେ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନଙ୍କୁ ଉଦବୋଧନ ଦେବେ । ବଜେଟ୍ ଅଧିବେଶନକୁ ଦ୍ରୌପଦୀ ମୁର୍ମୁ ପ୍ରଥମଥର ପାଇଁ ସମ୍ବୋଧନ କରିବେ । ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ । ସରକାରଙ୍କ ମୁଖ୍ୟ ଉପଦେଷ୍ଟା ଡକ୍ଟର ଭି. ଅନନ୍ତ ନାଗେଶ୍ୱରନ ଏହି ରିପୋର୍ଟ ଉପସ୍ଥାପନ କରିବେ ।

Advertisment

ଆସନ୍ତାକାଲି ଅର୍ଥାତ ବୁଧବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୩-୨୪ ବର୍ଷ ପାଇଁ ସାଧରଣ ବଜେଟ ଉପସ୍ଥାପନ କରିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେବ ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ସେଥିପାଇଁ ସରକାର କିଛି ଜନପ୍ରିୟ ସ୍କିମ ଘୋଷଣା କରିପାରନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଛନ୍ତି । ନୂଆ ସଂସଦ ଭବନରେ ବଜେଟ ଅଧିବେଶନ ଓ ୨୦୨୩-୨୪ ବଜେଟ ଉପସ୍ଥାପନ ପାଇଁ ଯୋଜନା କରାଯାଇଥିଲେ ବି ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ପୁରୁଣା ସଂସଦ ଭବନରେ ଉପସ୍ଥାପନ କରାଯିବ । ଏହା ପୂର୍ବରୁ ସୋମବାର ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନରେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।

ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୧ ଓ ୨ୟ ଅଧିବେଶନ ମାର୍ଚ୍ଚ ୧୪ରୁ ଏପ୍ର୍ରିଲ ୮ ପର୍ଯ୍ୟନ୍ତ କରାଯିବ । ସୋମବାର ସଂସଦର ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥିଲା । ୨୭ଦଳର ୩୯ଜଣ ମନ୍ତ୍ରୀ ବୈଠକରେ ଯୋଗ ଦେଇଥିଲେ । କିଭଳି ଅଧିବେଶସର ସୁରଖୁରେ ଚଳାଯିବ ନେଇ ବୈଠକରେ ଚର୍ଚ୍ଚା କରାଯାଇଛି ।