କର୍ତ୍ତବ୍ୟ ଆଗ, ବାକି ସବୁ ପଛ । ବାପାଙ୍କ ଦେହାନ୍ତ ଖବର ଆସିଲା, କିନ୍ତୁ ଦାୟିତ୍ୱରୁ ଓହରିଲେନି ବଜେଟ ପ୍ରସ୍ତୁତିର ‘ସିକ୍ରେଟ ଡ୍ୟୁଟି’ରେ ଥିବା କୁଳଦୀପ ।

754

କନକ ବ୍ୟୁରୋ : କର୍ତ୍ତବ୍ୟ ଆଗ, ବାକି ସବୁ ପଛ । ଅନେକ ଲୋକଙ୍କ ମୁହଁରୁ ଆପଣ ଏଭଳି କଥା ଶୁଣିଥିବେ । କିନ୍ତୁ ଏହି କଥାକୁ ବାସ୍ତବରେ ପ୍ରମାଣିତ କରି ଦେଖାଇଛନ୍ତି ଅର୍ଥ ମନ୍ତ୍ରାଳୟର ଅଧିକାରୀ କୁଳଦୀପ କୁମାର ଶର୍ମା । ବଜେଟ ପ୍ରସ୍ତୁତ ଭଳି ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ କାମରେ ନିୟୋଜିତ ଥିବା ବେଳେ କୁଳଦୀପଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା । କିନ୍ତୁ ଏଭଳି ଦୁଃଖ ସମୟରେ ମଧ୍ୟ ତାଙ୍କୁ ଦିଆଯାଇଥିବା ଦାୟିତ୍ୱକୁ ପ୍ରାଥମିକତା ଦେଇଥିଲେ କୁଳଦୀପ । ବାପାଙ୍କ ଅନ୍ତିମ ସଂସ୍କାରରେ ସାମିଲ ନ ହୋଇ ଦିଆଯାଇଥିବା ଦାୟିତ୍ୱକୁ ପୂରା କରିବାରେ ଲାଗି ପଡିଥିଲେ କୁଳଦୀପ ।

ଅର୍ଥ ମନ୍ତ୍ରାଳୟରେ କାର୍ଯ୍ୟ କରୁଥିବା କୁଳଦୀପ ୨୨ ଜାନୁଆରୀରୁ ବଜେଟ ପ୍ରିଣ୍ଟିଂ କାମରେ ଲାଗିଛନ୍ତି । ତେବେ ୨୬ ଜାନୁଆରୀରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇ ଯାଇଥିଲା । କିନ୍ତୁ ଏଭଳି ସମୟରେ ମଧ୍ୟ ସେ ପାଇଥିବା ଦାୟିତ୍ୱକୁ ଅଧାବାଟରେ ଛାଡିନଥିଲେ । ଏବେ ମଧ୍ୟ ନର୍ଥ ବ୍ଲକ ଭିତରେ ବଜେଟ ପ୍ରିଣ୍ଟିଂ କାର୍ଯ୍ୟରେ ଲାଗିଛନ୍ତି କୁଳଦୀପ ।

କୁଳଦୀପଙ୍କ ଏଭଳି ଦାୟିତ୍ୱବୋଧ ଦେଖିବା ପରେ ଅର୍ଥ ମନ୍ତ୍ରାଳୟ ତାଙ୍କୁ ଟ୍ୱିଟ୍ କରି ପ୍ରଂଶସା କରିଛି । ଅର୍ଥ ମନ୍ତ୍ରାଳୟ ଟ୍ୱିଟ୍ କରି କହିଛି, ଦୁଃଖର ସହ କହିବାକୁ ପଡୁଛି ଯେ ଅର୍ଥ ବିଭାଗର ମିଡିଆ ଡେପୁଟି ମ୍ୟାନେଜର ଥିବା କୁଳଦୀପ କୁମାର ଶର୍ମାଙ୍କ ବାପାଙ୍କର ଗତ ୨୬ ତାରିଖରେ ଦେହାନ୍ତ ହୋଇଯାଇଛି । କୁଳଦୀପ ଏବେ ବଜେଟ ପ୍ରସ୍ତୁତିରେ ଲାଗି ପଡିଛନ୍ତି ଓ ଗତ ୧୦ ଦିନ ହେବ ନର୍ଥ ବ୍ଲକରେ ବନ୍ଦ ହୋଇ ଅଛନ୍ତି । କିନ୍ତୁ ଏହାସତ୍ତେ୍ୱ ସେ ନିଜ ଦାୟିତ୍ୱରୁ ଗୋଟିଏ ମିନିଟ୍ ପଛକୁ ଫେରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ।

ହାଲୱା ଉତ୍ସବ ପରେ ଗତ ଜାନୁଆରୀ ୨୨ ପରଠାରୁ ବଜେଟ ପ୍ରସ୍ତୁତ କରୁଥିବା ଏକ ଟିମକୁ ନର୍ଥ ବ୍ଲକରେ ଲକ୍ କରାଯାଇଛି । ଏହି ଟିମ୍ ଫେବ୍ରୁଆରୀ ୧ରେ ବାହାରକୁ ଆସିବେ । ବଜେଟକୁ ଗୋପନୀୟ ରଖିବାକୁ ଏଥିରେ ସମ୍ପୃକ୍ତ ଥିବା କୌଣସି କର୍ମଚାରୀଙ୍କୁ ବାହାରକୁ ଛଡାଯାଇନଥାଏ । କିନ୍ତୁ କିଛି ବିଶେଷ ପରିସ୍ଥିତିରେ କର୍ମଚାରୀଙ୍କୁ ବାହାରକୁ ଯିବା ପାଇଁ ଅନୁମତି ମିଳିଥାଏ । କିନ୍ତୁ ବଜେଟର ଗୁରୁତ୍ୱକୁ ବୁଝି ନିଜ ବାପାଙ୍କ ଅନ୍ତିମ ସଂସ୍କାର ସାମିଲ ନ ହେବାକୁ ନିଷ୍ପତି ନେଇ କୁଳଦୀପ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।