ରାଜଧାନୀ ଭୁବନେଶ୍ୱର ହେବ ଅଧିକ ସୁନ୍ଦର । ଆଲୋକରେ ଝଲସିବ ରାସ୍ତାଘାଟ । ପୂର୍ଣ୍ଣାଙ୍ଗ ବଜେଟ ଆଣିଛି ବିଏମସି ।

255

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱର ହେବ ଅଧିକ ସୁନ୍ଦର । ରାସ୍ତା ଘାଟ ସହ ଛକ ବଜାରର ହେବ ଆଲୋକୀକରଣ । ଏଭଳି ଅନେକ ଯୋଜନା ପ୍ରସ୍ତୁତ କରିଛି ଭୁବନେଶ୍ୱର ମହାନଗର ନିଗମ । ଏଥିପାଇଁ ୨୦୨୪-୨୦୨୫ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଣିଛି ବିଏମସି ।

ପ୍ରଥମ ଥର ପାଇଁ ବିଏମସିର ବଜେଟ ହଜାରେ କୋଟି ଟଙ୍କା ଅତିକ୍ରମ କରିଛି । ୧ ହଜାର ୨୭ ଦଶମିକ ୫୫ କୋଟି ଟଙ୍କାର ବଜେଟ ପାରିତ ହୋଇଛି । ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ୧୧୧.୧୯ କୋଟି, ଏକାମ୍ର ଯୋଜନା ପାଇଁ ୧୧୩ କୋଟି, ଭୂମି ଅଧିଗ୍ରହଣ ଓ ଭୂବନେଶ୍ୱର ମହାନଗର ନିଗମର ପରିଚାଳନା ପାଇଁ ୧୦୫.୯୬ କୋଟି, ପରିମଳ ବାବଦକୁ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ପେଭର ବ୍ଲକ ରାସ୍ତା ନିର୍ମାଣ ବାବଦକୁ ୯୭.୭୨ କୋଟି, ଡ୍ରେନ ନିର୍ମାଣ ଓ ଉନ୍ନତିକରଣ ପାଇଁ ୯୧.୪୭ କୋଟି, ରାସ୍ତା ସୌନ୍ଦର୍ଯ୍ୟକରଣ ପାଇଁ ୨୫.୫୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଗୋଟିଏ ପଟେ ଭୁବନେଶ୍ୱରକୁ ସୁନ୍ଦର କରିବା ପାଇଁ ବିଏମସି ମେୟର ସୁନେଲି ସ୍ୱପ୍ନ ଦେଖାଉଥିବା ବେଳେ ବଜେଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କର୍ପୋରେଟର ।