ଦେଶର ୩ କୋଟି ମହିଳା ବନିବେ ଲକ୍ଷପତି ଦିଦି । ସ୍ୱୟଂ ସହାୟକ ମହିଳାଙ୍କୁ ଦିଆଯିବ ଡ୍ରୋନ ଉଡାଇବା ଟ୍ରେନିଙ୍ଗ : ମହିଳାଙ୍କ ପାଇଁ ସୀତାରମଣଙ୍କ ବଡ ଘୋଷଣା

771

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନ୍ତରୀଣ ବଜେଟ୍ ୨୦୨୪ ଆଗତ କରିଛନ୍ତି । ଏହି କ୍ରମରେ ସେ ସରକାରଙ୍କ ୧୦ ବର୍ଷର ଉପଲବ୍ଧିକୁ ବଖାଣିଛନ୍ତି । ଆଗାମୀ ୫ ବର୍ଷରେ ଦେଶରେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ବୋଲି ଘୋଷଣା କରିଛନ୍ତି ସୀତାରମଣ । ୨୦୨୩ ସ୍ୱାଧୀନତା ଦିବସ ଅବସରରେ ଏହି ଯୋଜନା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ, ଯେଉଁଥିରେ ଦେଶର ୨ କୋଟି ମହିଳାଙ୍କୁ ଲକ୍ଷପତି ଦିିଦି ବନାଯିବାକୁ ଘୋଷଣା କରିଥିଲେ । ଆଜି ଅର୍ଥମନ୍ତ୍ରୀ ଏହି ଲକ୍ଷ୍ୟକୁ ୩ କୋଟି କରିଛନ୍ତି ।

ଲକ୍ଷପତି ଦିଦି ଯୋଜନାର ଉଦ୍ଦେଶ୍ୟ ହେଉଛି , ଦାରିଦ୍ର୍ୟ ଦୂରୀକରଣ ଏବଂ ଅର୍ଥନୈତିକ ସଶକ୍ତୀକରଣ । ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହା ଦ୍ୱାରା ସେମାନେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିପାରିବେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଏହି ଯୋଜନା କାର୍ୟ୍ୟକାରୀ କରାଯିବ । ଲକ୍ଷପତି ଦିଦି ଲକ୍ଷ୍ୟ ପୂରଣ ପାଇଁ ମହିଳାମାନଙ୍କୁ ଅନେକ ପ୍ରକାର ପ୍ରଶିକ୍ଷଣ ଦିଆଯିବ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଡ୍ରୋନ୍ ଯୋଗାଇ ଦିଆଯିବ ଏବଂ ସେମାନଙ୍କୁ ଡ୍ରୋନ୍ ପରିଚାଳନା ଓ ମରାମତି ପାଇଁ ପ୍ରଶିକ୍ଷଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

ଗତବର୍ଷ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍ କମିଟି ଲକ୍ଷପତି ଦିଦି ଯୋଜନାରେ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରି ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ୍ ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୪-୨୫ ଓ ୨୫-୨୬ ଆର୍ଥିକ ବର୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୪,୫୦୦ ଡ୍ରୋନ୍ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି।