କନକ ବ୍ୟୁରୋ : ବଜେଟ ଭିତରେ ଚର୍ଚ୍ଚା ସାଉଁଟିଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶାଡୀ । ନିଜର ସପ୍ତମ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ଆଜି ଯେଉଁ ଶାଡୀ ପିନ୍ଧିଥିଲେ ତାକୁ ନେଇ ମଧ୍ୟ ଚର୍ଚ୍ଚା କରାଯାଉଛି କାରଣ ଏହାର ସିଧା ସମ୍ପର୍କ ରହିଛି ଆନ୍ଧ୍ର ସହ । ଗୋଟେ ପଟେ ଆନ୍ଧ୍ରପ୍ରଦେଶକୁ ସ୍ପେଶାଲ ପ୍ୟାକେଜ ମିଳିଥିବାବେଳେ ନିର୍ମଳା ମଧ୍ୟ ରାଜ୍ୟର ସଂସ୍କୃତି ଓ ଗାଥାକୁ ବଖାଣୁଥିବା ମଙ୍ଗଳାଗିରି ଶାଡୀ ପିନ୍ଧିଥିଲେ । ଧଳା ରଙ୍ଗର ଶାଡୀରେ ଥିଲା ମାଜେଂଟା ରଙ୍ଗର ଧଡି । ୨୦୨୪ ମଧ୍ୟବର୍ତୀକାଳିନ ବଜେଟରେ ଅର୍ଥମନ୍ତ୍ରୀ ପଶ୍ଚିମବଙ୍ଗର କାଂଥାଷ୍ଟିଚ ପିନ୍ଧିଥିଲେ । ୨୦୨୩ରେ କର୍ଣ୍ଣାଟକର ଇଲାକାଇ ରେଶମ ଶାଡୀ, ୨୦୨୨ରେ ବମକାଇ ପାଟ, ୨୦୨୧ରେ ତେଲେଙ୍ଗାନାର ପୋଚାମ୍ପାଲି ଶାଡୀ, ୨୦୨୦ରେ ହଳଦୀ ରଙ୍ଗର ରେଶମ ଶାଡୀ, ୨୦୧୯ରେ ନିଜ ପ୍ରଥମ ବଜେଟ ଉପସ୍ଥାପନ ସମୟରେ ଗୋଲାପୀ ରଙ୍ଗର ମଙ୍ଗଳାଗିରି ଶାଡୀ ପିନ୍ଧିଥିଲେ ।