ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ । ଶ୍ରେଣୀଗୃହରେ ଲାଗିବ ଟିଭି, ସ୍ଥାପନ ହେବ ୭୫ ହଜାର ଗ୍ରାମ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ।

163

କନକ ବ୍ୟୁରୋ : କରୋନା କାଳରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ର ବିଶେଷ ଭାବରେ ପ୍ରଭାବିତ ହୋଇଥିବାରୁ ବଜେଟରେ ଏହି ଦୁଇ ବିଭାଗ ଉପରେ ଗୁରୁତ୍ୱ ଦିଆଯାଇଛି । ଉଭୟ କ୍ଷେତ୍ରରେ ଡିଜିଟାଇଜେସନ ବୃଦ୍ଧି ସହ ଏହାର ଉପଯୋଗ ଉପରେ ଫୋକସ ଦେଇଛନ୍ତି ସରକାର । ତେବେ ହେଲଥ ଇନ୍ସୁରାନ୍ସ ପାଇଁ ସାଧାରଣ ଲୋକ ଦେଉଥିବା ଦେୟ ଉପରେ କୌଣସି କୋହଳ କରିନାହାଁନ୍ତି ସରକାର ।

ବଜେଟରେ ଶିକ୍ଷାକ୍ଷେତ୍ରକୁ ଗୁରୁତ୍ୱ । ଡିଜିଟାଲ ମାଧ୍ୟମରେ ଶିକ୍ଷାଦାନକୁ ଗୁରୁତ୍ୱ, ପ୍ରତିଷ୍ଠା ହେବ ଡିଜିଟାଲ ବିଶ୍ୱବିଦ୍ୟାଳୟ । କରୋନା ମହାମାରୀ ସମୟରେ ଶିକ୍ଷାକ୍ଷେତ୍ରରେ ଅନଲାଇନ ପାଠପଢ଼ାର ଗୁରୁତ୍ୱ ବଢ଼ିଯାଇଛି । ସିଧାସଳଖ ଶ୍ରେଣୀଗୃହ ପାଠପଢ଼ା ଅଧିକାଂଶ ସମୟରେ ବନ୍ଦ ହେବାରୁ ଅନଲାଇନ ପାଠପଢ଼ା ଉପରେ ଗୁରୁତ୍ୱ ଦିଆଯାଉଛି । ଏହାକୁ ଆଖି ଆଗରେ ରଖି ବଜେଟରେ ସ୍ୱତନ୍ତ୍ର ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର ।

– ପିଲାମାନଙ୍କ ନିକଟରେ ଅନଲାଇନ ଶିକ୍ଷା ପହଞ୍ଚାଇବା ପାଇଁ ଇ-ବିଦ୍ୟା ଯୋଜନା ଘୋଷଣା କରାଯାଇଛି
– ଇ-ବିଦ୍ୟା ଯୋଜନାରେ ୨ଶହ ଚ୍ୟାନେଲରେ ଶିକ୍ଷାଦାନ କରାଯିବ
– ଶିକ୍ଷାର ମାନକୁ ବଢ଼ାଇବା ପାଇଁ ଡିଟିଏଚ୍ ସୁବିଧା ଦିଆଯିବ
– ଗୋଟିଏ ଶ୍ରେଣୀ, ଗୋଟିଏ ଟିଭି ଚ୍ୟାନେଲରେ ପାଠାପଢା ହେବ
– ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରାଯିବ
– ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ
– ୨ଲକ୍ଷ ଅତ୍ୟାଧୁନିକ ଅଙ୍ଗନୱାଡ଼ି କେନ୍ଦ୍ର ତିଆରି ହେବ ।

ସ୍ଥାପନ ହେବ ୭୫ ହଜାର ଗ୍ରାମ୍ୟ ସ୍ୱାସ୍ଥ୍ୟକେନ୍ଦ୍ର । ୬୦୨ ଜିଲ୍ଲାରେ ଖୋଲିବ କ୍ରିଟିକାଲ କେୟାର ସେଣ୍ଟର । କରୋନା କାଳରେ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ସବୁଠାରୁ ଅଧିକ ଚାପ ଥିବାରୁ ଅନେକ ଦିଗରୁ ବିଚାର କରି ସ୍ୱାସ୍ଥ୍ୟ ବଜେଟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ବ ବର୍ଷ ତୁଳନାରେ ସ୍ୱାସ୍ଥ୍ୟ ବଜେଟକୁ ୧୩୫ % ବଢ଼ାଇ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨.୩୮ଲକ୍ଷ କୋଟି ବ୍ୟୟବରାଦ ରହିଛି । ନଜର ପକାନ୍ତୁ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ କଣ ରହିଛି ବଜେଟରେ ବ୍ୟବସ୍ଥା..

– ୭୫ ହଜାର ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବ
– ଦେଶର ସମସ୍ତ ଜିଲ୍ଲାରେ ଯାଞ୍ଚ କେନ୍ଦ୍ର ଓ ୬୦୨ ଜିଲ୍ଲାରେ କ୍ରିଟିକାଲ କେୟାର ସେଣ୍ଟର ଖୋଲାଯିବ
– ନ୍ୟାସନାଲ ଡିଜିଟାଲ ହେଲଥ ଇକୋସିଷ୍ଟମ ଆରମ୍ଭ ହେବ ।
– ଅନଲାଇନରେ ମିଳିବ ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ
– ମାନସିକ ଅବସାଦ ଦୂର ପାଇଁ ଆରମ୍ଭ ହେବ ନ୍ୟାସନାଲ ଟେଲି ମେଂଟାଲ ହେଲଥ ପ୍ରୋଗ୍ରାମ

କରୋନା ମହାମାରୀ ବେଳେ ସ୍ୱାସ୍ଥ୍ୟ ସେବା ପାଇଁ ଲୋକଙ୍କ ଉପରେ ଅଧିକ ଚାପ ପଡୁଥିବାେଳେ ଆଶା କରାଯାଉଥିଲା ହେଲଥ କେୟାର ବ୍ୟବସ୍ଥାକୁ ସରକାର ଗୁରୁତ୍ୱ ଦେଇଥାନ୍ତେ । ଏବଂ ସ୍ୱାସ୍ଥ୍ୟ ବୀମା ଉପରେ ଆଦାୟ କରାଯାଉଥିବା ଜିଏସଟି କୋହଳ କରାଯାଇଥାନ୍ତା । ଯାହାଫଳରେ ସ୍ୱାସ୍ଥ୍ୟବୀମା ପାଇଁ ଲୋକେ କମ୍ ପ୍ରିମିୟମ ଦେଇଥାନ୍ତେ । ହେଲେ ସେପରି କରିନାହାନ୍ତି ସରକାର ।